ଛତିଶଗଡ଼ ୧୧/୦୨: ଗଣ ବିବାହରେ ବିଶ୍ୱ ରେକର୍ଡ କରିଛି ଛତିଶଗଡ଼ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାଜ୍ୟ ସ୍ତରୀୟ ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଦିନକରେ ୬,୪୧୪ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଆୟୋଜନ ଗୋଲ୍ଡେନ୍ ବୁକ୍ ଅଫ୍ ୱର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟଙ୍କ ଉପସ୍ଥିତିରେ ରାୟପୁର ସ୍ଥିତ ସାଇନ୍ସ କଲେଜ ପଡ଼ିଆରୁ ରାଜ୍ୟର ତମାମ ଜିଲ୍ଲାରେ ଏକସଙ୍ଗେ ଏହି ଗଣ ବିବାହ ଆୟୋଜିତ ହୋଇଥିଲା । ରାୟପୁରରେ ୧,୩୧୬ ଯୋଡ଼ିଙ୍କୁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଦେଇଥିଲେ । ଅନ୍ୟମାନେ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଏହି ଆୟୋଜନ କେବଳ ବିବାହ ନୁହେଁ, ବରଂ ସାମାଜିକ ଏକତା ଓ ସାଂସ୍କୃତିକ ବିବିଧତାର ଉତ୍ସବ ପାଲଟିଥିଲା । ମୁସ୍ଲିମ, ଖ୍ରୀଷ୍ଟିଆନ, ବୌଦ୍ଧ ଓ ବିଶେଷ ପଛୁଆ ଜନଜାତି ବୈଗା ସମୁଦାୟର ଯୋଡ଼ି ନିଜ ନିଜର ପରମ୍ପରା ଓ ବିଧିବିଧାନରେ ବିବାହ କରିଥିଲେ । ସମସ୍ତ ନବବିବାହିତ ଦମ୍ପତିଙ୍କୁ ୩୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଝିଅଙ୍କ ବିବାହ ଦିନେ ଗରିବ ପରିବାରଙ୍କ ପାଇଁ ଚିନ୍ତାର ବିଷୟ ଥିଲା । କିନ୍ତୁ ଏହି ଯୋଜନା ଏହାକୁ ସମ୍ମାନ ଓ ଭରସାରେ ରୂପାନ୍ତରିତ କରିଛି ।
