କଟକ: ଟ୍ରିବ୍ୟୁନାଲଙ୍କ ୨୦୦୨ ମସିହାର ନିର୍ଦ୍ଦେଶ ଥିଲେ ମଧ୍ୟ ଆବେଦନକାରୀଙ୍କୁ ନିଯୁକ୍ତି ଦିଆ ନଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ଇତି ମଧ୍ୟରେ ବହୁ ବର୍ଷ ଅତିବାହିତ ହୋଇ ଯାଇଥିବା ବେଳେ ନିଯୁକ୍ତି ବଦଳରେ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁର ଜିଲ୍ଲାପାଳ ୫ ଲକ୍ଷ ଟଙ୍କା ୬ ସପ୍ତାହ ଭିତରେ ଆବେଦନକାରୀଙ୍କୁ ପ୍ରଦାନ କରି?ବେ । ଯଦି ନିର୍ଦ୍ଧାରିତ ସମୟ ଭିତରେ ଏହି ରାଶି ପ୍ରଦାନ କରା ନ ଯାଏ ତେବେ ବିଳମ୍ବ ପାଇଁ ଦିନକୁ ଅତିରିକ୍ତ ୫ଶହ ଟଙ୍କା ଆବେଦନକାରୀଙ୍କୁ ଦିଆଯିବ । ଏପରି ଅତିରିକ୍ତ ଅର୍ଥ ତ୍ରୁଟି କରିଥିବା ଅଧିକାରୀଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ଆଇନ ଅନୁସାରେ ଭରଣା କରାଯିବ । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଧାଂଶୁ ନନ୍ଦଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଆଇନଗତ ଲଢେଇରେ ବିଜେତା ପକ୍ଷଙ୍କୁ ଖାଲି ହାତରେ ଫେରାଇ ଦିଆଯିବା ଉଚିତ ନୁହେଁ । ଯଦି ନିର୍ଦ୍ଦେଶ ଅନୁସାରେ ମୂଳ ପ୍ରତିକାର ମଞ୍ଜୁର କରାଯାଇ ପାରିବ ନାହିଁ ତେବେ କ୍ଷତିପୂରଣ ଓ ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କୁ ଡ୍ରାଇଭର ବା ଅନ୍ୟ ଗ୍ରୁପ-ଡି ପଦବିରେ ନିଯୁକ୍ତି ପ୍ରଦାନ ସପକ୍ଷରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ୨୦୦୨, ସେପ୍େଟମ୍ବର ୫ରେ ରାୟ ଦେଇଥିଲେ । ଏହି ପ୍ରସଂଗରେ ସମ୍ବଲପୁୁର ଜିଲ୍ଲାପାଳ ଓ ସିଡିଏମଓ ପଦକ୍ଷେପ ନ ନେବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ଟ୍ରିବ୍ୟୁନାଲରେ ରୁଜୁ କରିଥିଲେ । କେତେକ ପ୍ରତିବନ୍ଧକ ରହିଥିବାରୁ ଆବେଦନକାରୀଙ୍କୁ ଅବସ୍ଥାପିତ ନିର୍ଦ୍ଦେଶ ପ୍ରଦାନ କରାଯାଉ ନାହିଁ ବୋଲି କର୍ତ୍ତୃପକ୍ଷ ଦର୍ଶାଇଥିଲେ । ଟ୍ରିବ୍ୟୁନାଲ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଯଦି ଭବିଷ୍ୟତରେ ପଦବି ଖାଲି ହୁଏ ତେବେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଂଗ ସରକାର ବିଚାରକୁ ନେବେ ବୋଲି ଟ୍ରିବ୍ୟୁନାଲ କହିଥିଲେ । ୨୦୧୭, ନଭେମ୍ବର ୨୨ର ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଟ୍ରିବ୍ୟୁନାଲଙ୍କ ୨୦୦୨ର ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲେ ମଧ୍ୟ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପକାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ।
