ଭୁବନେଶ୍ଵର : ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା। CT & GST ଓ ଅର୍ଥ ବିଭାଗକୁ ଚିଠି ଲେଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପାନ ମସଲାରେ ଟବାକୋ, ନିକୋଟିନ୍ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଥାଉକି, ତମାଖୁ, ଜର୍ଦ୍ଦା, ଖଇନି, ଗୁଡ଼ାଖୁ ଆଦି ବ୍ୟବହାର ଯୋଗୁ କର୍କଟ ବଢ଼ୁଛି । ବିଶେଷ କରି ମୁଖ ଗହ୍ୱରଠାରୁ ଆରମ୍ଭ କରି ଖାଦ୍ୟନଳୀ କର୍କଟ, ପାକସ୍ଥଳୀ କର୍କଟ, ଗଳା କର୍କଟରେ ଅନେକ ଆକ୍ରାନ୍ତ ହେଉଛନ୍ତି । ଯୁବବର୍ଗ ଧୂମପାନ, ପାନ, ଗୁଆ, ଧୂଆଁପତ୍ର ବ୍ୟବହାର କରି ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ଦ୍ୱିତୀୟ ରାଉଣ୍ଡ ଅଫ୍ ଗ୍ଲୋବାଲ୍ ଆଡଲ୍ଟ ଟବାକୋ ସର୍ଭେ ଅନୁସାରେ ଓଡ଼ିଶା ଜନସଂଖ୍ୟାର ୪୨% ଲୋକ ତମାଖୁ ସେବନ କରୁଛନ୍ତି । ଯାହାକି ଜାତୀୟ ହାରଠାରୁ ଦୁଇ ଗୁଣା ଅଧିକ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାଖୁ ଓ ନିକୋଟିନ୍ ଯୁକ୍ତ ଖାଦ୍ୟ ପଦାର୍ଥ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଥିଲେ। ହେଲେ ଏବେ ସରକାର ନିଜ ନିଷ୍ପତ୍ତିରୁ ଓହରିଛନ୍ତି। ନିକୋଟିନ ନଥିବା ହେତୁ ରାଜ୍ୟରେ ଆଉ ପାନ ମସଲା ବ୍ୟାନ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରି କୁହାଯାଇଛି।
