ବ୍ରହ୍ମପୁର: ୨୦୨୪ ମସିହା ମେ ମାସରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ବ୍ୟାଚଲର ରୁମରେ ଜଣେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଆଜି ପୋକସୋ ଜଜ୍ ପ୍ରଣତି ପଟ୍ଟନାୟକଙ୍କ କୋର୍ଟରେ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ଲୋମଟାଙ୍କୁରା ଘଟଣାରେ ତ୍ବରିତ ପଦକ୍ଷେପ ନେଇଛି ପୁଲିସ। ଏହି ଘଟଣାରେ ପୁଲିସ ୪ ଇଂଜିନିୟରିଂ ଛାତ୍ରଙ୍କ ସମେତ ୫ଜଣ ଛାତ୍ରଙ୍କୁ ବିଭିନ୍ନ ସ୍ଥାନରେ ପ୍ରଥମେ ଚଢ଼ଉ କରି ଗିରଫ କରିଥିଲା। ସେମାନେ ହେଲେ ଆସିକା ଥାନା ପାଢ଼ୀ କଲୋନିର ରୁତୁନ କୁମାର ଦାସ(୨୨), କୋଟିନଡ଼ା ଥାନା ବାବନପୁର ପାଟଣାସାହିର ରୁଦ୍ର ଜେନା(୨୨), ବେଗୁନିଆପଡ଼ା ଥାନା ବାଲିସାହିର ଅଭିଳାଷ ପଲାଇ ଓରଫ୍ ଅଭି(୧୯), ସୋରଡ଼ା ଥାନା ସମ୍ପାଲିର ଆକାଶ ନାୟକ(୨୬) ଓ ଖଲ୍ଲିକୋଟ ଥାନା କେନ୍ଦୁପାଟର ଜୁମନ ଗୌଡ଼(୧୯) । ଏମାନଙ୍କ ଭିତରୁ ଜଣେ ବି ଫାର୍ମା ଓ ଆଉ ଚାରିଜଣ ବ୍ରହ୍ମପୁରର ବିଭିନ୍ନ ଇଂଜିନିୟରିଂ କଲେଜ ଛାତ୍ର। ସମସ୍ତେ ମିଶି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍ରେ ଏକ ଭଡ଼ାଘରେ ମେସ୍ କରି ରହୁଥିଲେ। ପୁଲିସ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କେସ୍ ନମ୍ବର ୨୪୦/୨୪ରେ କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସ୍ପି ଡା.ସାର୍ଥକ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ସେହିପରି କୋର୍ଟରେ ପୀଡ଼ିତାଙ୍କ ବୟାନ୍ ରେକର୍ଡ଼ କରାଯାଇଥିଲା।
