ଭୁବନେଶ୍ବର: ଜାନୁଆରୀ ୨୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଓଡ଼ିଶା ବନ୍ଦ । ବୁଧବାର ଓଡ଼ିଶା ବନ୍ଦ ଡାକରା ଦେଲା ନବନିର୍ମାଣ କୃଷକ ସଂଗଠନ । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ଖୋଲିବନି ଦୋକାନ ବଜାର, ଗଡ଼ିବନି ଗାଡ଼ି ମୋଟର । ରାଜ୍ୟରେ ଧାନ କିଣାରେ ବ୍ୟାପକ ଅନିୟମିତତା, ଗାଡ଼ି ପ୍ରଦୂଷଣ ସାର୍ଟିଫିକେଟ୍ ଏବଂ ବିଜୁଳି ଟାରିଫକୁ ନେଇ ସରକାରଙ୍କ ଘେରିବ ନବନିର୍ମାଣ କୃଷକ ସଂଗଠନ । ସେପଟେ ଗତ କିଛି ମାସ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ବିଭିନ୍ନ ପ୍ରସଂଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି ।
ରାଜ୍ୟରେ ଧାନକିଣାରେ ମଣ୍ଡିଗୁଡ଼ିକରେ ହେଉଥିବା ଚରମ ଅବ୍ୟବସ୍ଥା, ୧୫୦ କ୍ବିଣ୍ଟାଲରୁ ଅଧିକ ଧାନ ବିକ୍ରି ଉପରେ ଇନପୁଟ୍ ସବସିଡ୍ ବନ୍ଦ, ମିଲରଙ୍କ ଦ୍ବାରା କଟନିଛଟନି ଆଦିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଏହାସହିତ ବିଜୁଳିକୁ ନେଇ ସରକାର, ଓଇଆର୍ସି, ଟାଟାପାୱାର ମନମାନି ଏବଂ ଗାଡ଼ି ପଲ୍ୟୁସନ୍କୁ ନେଇ ରାଜ୍ୟବାସୀ ଯେଭଳି ତଣ୍ଡ ଗଣୁଛନ୍ତି ତା’କୁ ବିରୋଧରେ କରି ଏହି ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏହି ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବା ସହ ରାଜ୍ୟ ସଭାପତି ସମସ୍ତ ଜିଲ୍ଲା ସଭାପତିଙ୍କୁ ବନ୍ଦ ଘୋଷଣାକୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କଂଗ୍ରେସ ମିଡ଼ିଆ ସେଲ୍ ପକ୍ଷରୁ ଏକ ପ୍ରେସ୍ ବିବୃତି ଜାରି କରାଯାଇଛି । ତେଣେ ବିଜେଡି ମଧ୍ୟ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ନୈତିକ ସମର୍ଥନ ଦେବ କହିଛି ।
