କୋରାପୁଟ: ଛତିଶଗଡ଼ ବିଜାପୁରରେ ମାଓବାଦୀ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି । ଡିଆରଜି, ଏସଟିଏଫ୍ ଏବଂ ସିଆରପିଏଫ୍ ବାହିନୀର ମିଳିତ ଅପରେସନ୍ ହୋଇଥିବା ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ଶନିବାର ସକାଳେ ଜିଲ୍ଲାର ଉତ୍ତର-ପଶ୍ଚିମ ଅଞ୍ଚଳର ଜଙ୍ଗଲି ପାହାଡ଼ିଆ ଅଞ୍ଚଳରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏଠାରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯୁଗ୍ମ ଦଳ ତଲାସି ଅଭିଯାନ ଚଳାଉଥିଲେ । ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ଦୁଇ ଜଣ ନକ୍ସଲଙ୍କ ଶବ ଓ କିଛି ଅସ୍ତ୍ର ଜବତ ହୋଇଛି । ଏବେ ବି ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି । ଆହୁରି ବିସ୍ତୃତ ତଥ୍ୟ ମିଳିପାରେ ବୋଲି ଅଧିକାରୀ କହିଛନ୍ତି ।
