ଭୁବନେଶ୍ବର: ଯାତ୍ରା ପେଣ୍ଡାଲ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍ । ଯାତ୍ରା ଡ୍ୟାନ୍ସରଙ୍କ ଉପରେ ବାଜିବ ଛାଟ । ପେଣ୍ଡାଲରେ ବନ୍ଦ ହେବ ନଗ୍ନନୃତ୍ୟ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗ ଉପରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଛତିଶଗଡ ପରି ଓଡ଼ିଶାରେ ବି ହୋଇପାରେ କାର୍ଯ୍ୟନୁଷ୍ଠାନ । ଆଇନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଜନମତ ବି ସ୍ପଷ୍ଟ ଅଛି । ଅଶ୍ଳୀଳ ନୃତ୍ୟ ନହେଉ, ଏନେଇ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସରକାର ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ଜଣାଇଛନ୍ତି । ପେଣ୍ଡାଲରେ ଆଇଟମ୍ ଗାର୍ଲ ଅଶ୍ଳୀଳ ନୃତ୍ୟ କଲେ ପରିଣାମ ସାମ୍ନା କରିବାକୁ ପଡ଼ିବ ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ । ସୂଚନା ଅନୁଯାୟ, ଯାତ୍ରା ପେଣ୍ଡାଲରେ ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଛତିଶଗଡ଼ ପୁଲିସ ୧୭ଜଣ ଆୟୋଜକଙ୍କୁ ଗିରଫ କରିଥିବା ବେଳେ ଯାତ୍ରାକୁ ଅନୁମତି ଦେଇଥିବା ଉପଜିଲ୍ଲାପାଳ ତୁଳସୀଦାସ ମକରମ୍ଙ୍କୁ ବଦଳି କରାଯାଇଛି । ଅନ୍ୟପକ୍ଷେ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୁଲିସକର୍ମୀ ନିଲମ୍ୱନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗରିଆବନ୍ଦ ଜିଲାପାଳ। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେଉଁଭଳି ନହେବ ସେଥିପ୍ରତି କଡ଼ା ନଜର ରଖାଯିବ ବୋଲି ଗରିଆବନ୍ଦ ଅତିରିକ୍ତ ଏସ୍ପି କହିଛନ୍ତି । ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା। ୯ ତାରିଖ ଯାତ୍ରା ପେଣ୍ଡାଲରେ ଆଇଟମ୍ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଗରିଆବନ୍ଦ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୧୦ ତାରିଖରେ ଯାତ୍ରାକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ଘଟଣା ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଓଡ଼ିଶାରେ ଏହାକୁ ନେଇ ବଡ଼ ବାୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଛତିଶଗଡ଼ ଭଳି ଓଡ଼ିଶାରେ ବି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାଇ ଦେଇଛନ୍ତି ।
