ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର “ପାପା ବୁକା’ ୯୮ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର)ର ୩ଟି ବିଭାଗରେ ସ୍ଥାନ ପାଇ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଏକ ଗୌରବମୟ ମାଇଲଖୁଣ୍ଟ ସ୍ଥାପନ କରିଛି । ଶ୍ରେଷ୍ଠ ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଏବଂ ଅଭିନେତା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଯାହା ଓଡ଼ିଆ ତଥା ଭାରତୀୟ ସ୍ୱାଧୀନ ସିନେମା କ୍ଷେତ୍ରରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।
ଏହାର ପ୍ରଯୋଜନାର ପ୍ରମୁଖ ଭାଗରେ ରହିଛନ୍ତି ଓଡ଼ିଶାର ବିଶିଷ୍ଟ ନିର୍ମାତା ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ଅକ୍ଷୟ କୁମାର ପରିଜା ଓ ଅନ୍ୟମାନେ । ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଡ. ବିଜୁ । “ପାପା ବୁକା’ ଭାରତ-ପପୁଆ ନ୍ୟୁ ଗୁନିଆ ସହ- ପ୍ରଯୋଜିତ ଚଳଚ୍ଚିତ୍ର । ପପୁଆ ନ୍ୟୁ ଗୁନିଆର ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଦ୍ୱିତୀୟ ବିଶୁଯୁଦ୍ଧର କଥାବସ୍ତୁ ସହ ସ୍ଥାନୀୟ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିଛି । ଅନେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ସହ ପ୍ରଶଂସା ସାଉଁଟି ଚାଲିଛି । ଓସ୍କାରର ଏକାଧିକ ବିଭାଗରେ ଏହାର ଚୟନ ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ବିଶ୍ୱ ଦରବାରରେ ଭାରତୀୟ ସିନେମା ଓ ନିର୍ମାତାଙ୍କର ବଢୁଥିବା ପ୍ରଭାବକୁ ଦର୍ଶାଉଛି ।
