ଭୁବନେଶ୍ୱର: ପ୍ରବଳ ଶୀତ, ଥଣ୍ଡାରେ ଯେତିକି ଥରିବାକୁ ପଡ଼ୁନି ଏବେ ବିଲାତି(ଟମାଟୋ) ଦର ଶୁଣିଲେ ଦେହ ଥରିଯାଉଛି । ଅମଳ ଋତୁରେ ଟମାଟୋ ଦର ୬୦ ଛୁଇଁଲାଣି । ଯେଉଁ ସମୟରେ ଦର କମିବା କଥା, ସେଠି ଦର ବଢ଼ୁଥିବାରୁ ସାଧାରଣ ଖାଉଟି ବି ଚିନ୍ତାରେ । କେବଳ ରାଜଧାନୀ ନୁହେଁ, କଟକରେ ବି ସ୍ଥିତି ସମାନ । ଗାଁରେ ଦର ୫ରୁ ୧୦ଟଙ୍କା କମ୍ ଥିବା ବେଳେ ସହରରେ ଟମାଟୋ ମହରଗ ପାଲଟିଛି । ହାଟରେ ଦର ୫୦ଟଙ୍କା ଥିବା ବେଳେ ଖୁଚୁରା ଦୋକାନରେ ୧୦ଟଙ୍କା ଅଧିକ ରଖି ଟମାଟୋ ବିକ୍ରି ହେଉଛି । ସାଧାରଣତଃ ଶୀତ ଋତୁରେ ଟମାଟୋ ଅମଳ ହୁଏ । ଯେହେତୁ ଏହା ଶୀତଦିନିଆ ପରିବା, ତେଣୁ ସହରରେ କେଜି ପିଛା ଦର ବି ୧୦ରୁ ୨୦ ଟଙ୍କା ଭିତରେ ସୀମିତ ରୁହେ । ଶୀତଦିନେ ପିକନିକ୍, ବିବାହ ଆଦି ପଡ଼ୁଥିବାରୁ ଟମାଟୋର ବିକ୍ରି ବି ଭଲ ହୁଏ । ହେଲେ ଏବେ ଟମାଟୋ ଦର ଯାହା ଅଢେଇଶହ କିଣିବାକୁ ପଡ଼ୁଛି । ଟମାଟୋ ସାଇଜ୍ ଅନୁସାରେ, ଦୁଇଟି ବା ୩ଟିରେ ଅଢେଇଶହ ଗ୍ରାମ ହୋଇଯାଉଛି । ସ୍ଥିତି ଏମିତି, ‘ଦୈନିକ ଟମାଟୋ କିଣ ଓ ଖାଅ’ । ରାଜଧାନୀର ୧ ନମ୍ବର ହାଟରେ ଏବେ ଟମାଟୋ ଚଡ଼କ ପଡ଼ିଛି । ଦୈନିକ ବେଙ୍ଗାଲୁରୁ ଓ କୋଲକାତାରୁ ଟମାଟୋ ଆସୁଛି । ଚାହିଦା ରହିଥିଲେ ବି ଦର ଯାହା, ଗ୍ରାହକ ଟମାଟୋ କିଣିବାକୁ କୁନ୍ଥକୁନ୍ଥ ହେଉଛନ୍ତି । ସେପଟେ କଟକର ଛତ୍ର ବଜାରରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି । ସେଠାରେ ଟମାଟୋ କେଜି ୫୦ରୁ ୬୦ ଟଙ୍କା ଭିତରେ ରହିଛି । ଦିନ ଥିଲା, କଟକ ବାଙ୍କୀ, ଆଠଗଡ଼, ନିଆଳି, ଜଗତସିଂହପୁର, ୪୨ ମୌଜା ଓ କେନ୍ଦ୍ରାପଡ଼ାରୁ ଦେଶୀ ଟମାଟୋ ରାଜଧାନୀ ସହ କଟକକୁ ଆସୁଥିଲା । ଯଦ୍ୱାରା ଦର ବି ନିୟନ୍ତ୍ରଣରେ ରହୁଥିଲା । ସ୍ଥିତି ଏମିତି ହେଉଥିଲା ଯେ, ଅମଳ ବେଳେ ଟମାଟୋ ବିକ୍ରି ହୋଇପାରୁନଥିଲା, ଚାଷୀ ବାଧ୍ୟ ହୋଇ ଟଙ୍କାଏ ନହେଲେ ଦୁଇଟଙ୍କାରେ ଟମାଟୋ ବିକ୍ରି କରୁଥିଲା ନଚେତ୍ ବିକ୍ରି କରିନପାରି ନଷ୍ଟ କରୁଥିଲା । ହେଲେ ଚଳିତବର୍ଷ ଚିତ୍ର ଓଲଟା । ଚାଷ ଆରମ୍ଭରେ ଅର୍ଥାତ ଗତ ସେପ୍ଟେମ୍ବର- ଅକ୍ଟୋବର ମାସରେ ବାତ୍ୟା ଯୋଗୁ ଅଦିନିଆ ବର୍ଷା ହେବାରୁ ଫସଲ ଉପରେ ପ୍ରଭାବ ପଡ଼ିଥିଲା । ଟମାଟୋ ସହ ଅନ୍ୟ କିଛି ପରିବା ଗଛ ନଷ୍ଟ ହୋଇଯାଇଥିଲା । ଯାହାର ପ୍ରଭାବ ଏବେ ଅମଳ ଉପରେ ପଡ଼ିଛି । ତଥାପି ଆଉ ସପ୍ତାହକ ମଧ୍ୟରେ ଦେଶୀ ଟମାଟୋ ଆସିବ ବୋଲି ବେପାରୀମାନେ କହିଛନ୍ତି ।
