ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ପାଇଁ ବୁଧବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଅଧ୍ୟକ୍ଷତା କରି କହିଥିଲେ, ମହାତ୍ମାଗାନ୍ଧି ମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ମୁଖ୍ୟ ଅତିଥି ରହିବେ । ଉତ୍ସବକୁ ଶୃଙ୍ଖଳିତ, ଆଧୁନିକ ଓ ଆକର୍ଷଣୀୟ ଭାବରେ ପାଳନ କରାଯିବ । ସହରର ବିଭିନ୍ନ ଅଞ୍ଚଳ, ପାର୍କ ଓ ବସ୍ଷ୍ଟାଣ୍ଡ୍ ଆଦି ସ୍ଥାନରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମ ଧୂନ୍ ପରିବେଷଣ କରାଯିବ । ପତାକା ଉତ୍ତୋଳନ ସ୍ଥଳରେ ଆନୁସଙ୍ଗିକ ବ୍ୟବସ୍ଥା, ଟିଭି ଓ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ, ଉତ୍ସବସ୍ଥଳର ସାଜସଜ୍ଜା ଓ ପ୍ରଜ୍ଞାପନ ମେଢ଼ ବିଷୟରେ ଆଲୋଚନା ହୋଇଥିଲା । ସାଧାରଣତନ୍ତ୍ର ଦିବସ ପାଳନକୁ ଜିଲ୍ଲା ଓ ଉପଖଣ୍ଡସ୍ତରରେ ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାଗୁଡ଼ିକରେ ଆଲୋକ ସଜ୍ଜା କରାଯିବା ସହ ସମସ୍ତ ବ୍ୟବସ୍ଥାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ନିର୍ଦ୍ଦେଶକ (ବୈଷୟିକ) ଗୁର୍ବୀର୍ ସିଂ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
