ଦିଲ୍ଲୀ: ଘନଘନ ମିସାଇଲ୍ ମାଡ଼ । ମଝି ଆକାଶରେ ଯୁଦ୍ଧ ବିମାନର ଗର୍ଜନ । ଇସଲାମାବାଦ ଆକାଶରୁ ନିଆଁ ବର୍ଷା । ତାଣ୍ଡବ ରଚିଥିଲା ବ୍ରହ୍ମୋସ ସୁପର ସୋନିକ୍ କ୍ଷେପଣାସ୍ତ୍ର । ଭାରତୀୟ ସେନାର ଅପରେସନ ସିନ୍ଦୂରରେ ଥରହର ହୋଇଥିଲା ପାକିସ୍ତାନ । ବାହାପିଆ ପାକ୍ ନେତା ସବୁ ଜୀବନ ବଞ୍ଚାଇବାକୁ ବଙ୍କର ଖୋଜି ଥିଲେ । ରାଷ୍ଟ୍ରପତିଙ୍କ ଠାରୁ ପାକିସ୍ତାନ ସେନା ମୁଖ୍ୟ ଆସିମ୍ ମୁନିରଙ୍କ ପର୍ଯ୍ୟନ୍ତ ଭୟରେ ଲୁଚିଥିଲେ । ଆଉ ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଆମେରିକା ପାଖରେ ଗୁହାରି କରିଥିଲା ପାକିସ୍ତାନ । କୂଟନୀତିଜ୍ଞଙ୍କ ଜରିଆରେ ଭାରତ ଉପରେ ଚାପ ପକାଇବା ଚେଷ୍ଟା କରିଥିଲା । ଆମେରିକାର ଶୀର୍ଷ ପ୍ରଶାସନିକ ଅଧିକାରୀ, ସାଂସଦ, ପେଣ୍ଟାଗନ୍ ଏବଂ ବିଦେଶ ବିଭାଗର ସଚିବଙ୍କ ଆଗରେ ପ୍ରାୟ ୬୦ ଥର ଗୁହାରି ଲଗାଇଥିଲା କାଙ୍ଗାଳସ୍ତାନ । ଏଭଳି କିଛି ଦାବି ଆମେରିକାର ଫରେନ୍ ଏଜେଣ୍ଟ୍ସ ରେଜିଷ୍ଟ୍ରେସନ ଆକ୍ଟ (FARA)ର ରିପୋର୍ଟରେ ସାର୍ବଜନିନ ହୋଇଛି । ଏଫ୍ଏଆରଏ ଅନୁସାରେ, ଆମେରିକାର ଆଇନ ବିଭାଗରେ ଦାଖଲ ଦସ୍ତାବିଜରୁ ଜଣାପଡ଼ୁଛି ଯେ ପାକିସ୍ତାନୀ କୂଟନୀତିଜ୍ଞମାନେ ଇମେଲ୍, ଫୋନ୍ କଲ୍, ୱାନ-ଟୁ-ୱାନ୍ ମିଟିଂ କରି ଅପରେସନ ସିନ୍ଦୂର ଆରମ୍ଭ ହେବାଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ ଆଲୋଚନା ଜାରି ରଖିଥିଲେ । ଆମେରିକା ଦ୍ବାରା ଭାରତ ଉପରେ କୌଣସି ପ୍ରକାରେ ଚାପ ପକାଇ ଯୁଦ୍ଧ ବନ୍ଦ ପାଇଁ ପ୍ରାୟାସ କରିଥିଲା । ଟ୍ରମ୍ପ୍ ପ୍ରଶାସନ ପର୍ଯ୍ୟନ୍ତ ତ୍ୱରିତ ଭାବେ ପହଞ୍ଚିବା, ବ୍ୟବସାୟ ଏବଂ କୂଟନୈତିକ ନିଷ୍ପତ୍ତିକୁ ପ୍ରଭାବିତ କରିବା ଲାଗି ଲବିଂ ଫାର୍ମ ଉପରେ ପାକିସ୍ତାନ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଆମେରିକୀୟ ଲବିଂ ଫାର୍ମ ରିପୋର୍ଟରେ କହିଛି ଯେ, ଭାରତୀୟ ଦୂତାବାସ ମଧ୍ୟ ଆମେରିକା ସରକାର ଏବଂ ଅଧିକାରୀଙ୍କ ସହ ସମ୍ପର୍କ ବଢ଼ାଇବା ଲାଗି ଫାର୍ମର ସେବା ନେଇଥିଲେ । ଟ୍ରମ୍ପ୍ ପ୍ରଶାସନ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଏହି ଫାର୍ମ ଭାରତୀୟ ଦୂତାବାସକୁ ସହାୟତା କରିଥିଲା । ଏଫ୍ଏଆଇଆର ଦିଆଯାଇଥିବା ତଥ୍ୟ ଅନୁସାରେ, ମେ’ ୧୦ରେ ଏହି ଫାର୍ମ ଭାରତୀୟ ଦୂତାବାସ ପକ୍ଷରୁ ହ୍ୱାଇଟ୍ ହାଉସରେ ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସ, ଆମେରିକୀୟ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ ଜେମିସନ ଗ୍ରୀର ଏବଂ ନ୍ୟାସନାଲ ସିକ୍ୟୁରିଟି କାଉନ୍ସିଲର ରିକି ଗିଲ୍ଙ୍କ ସହ ଆଲୋଚନାରେ ସହାଯ୍ୟ କରିଥିଲେ । ରିପୋର୍ଟ ଅନୁସାରେ, ଏହି ସମସ୍ତ ପ୍ରୟାସର ମୂଳ ଲକ୍ଷ୍ୟ ଥିଲା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ରୋକିବା ପାଇଁ ହସ୍ତକ୍ଷେପ କରିବା । ଏହାଛଡ଼ା ପାକିସ୍ତାନର ଡିଜିଏମଓ ମେଜର ଜେନେରାଲ୍ କାଶିଫ ଅବ୍ଦୁଲ୍ଲା ଭାରତୀୟ ସେନାର ଡିଜିଏମଓ ଲେଫ୍ଟେନାଣ୍ଟ ଜେନେରାଲ୍ ରାଜୀବ ଘାଇଙ୍କ ସହ ଯୋଗାଯୋଗ କରିଥିଲେ। ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାକୁ ପାଇଁ ୬୦ ଥର ଗୁହାରି କରିଥିବା ପାକିସ୍ତାନ ।
