ନୂଆଦିଲ୍ଲୀ,୩୦/୧୨; ଅଶୁଭ ମଙ୍ଗଳବାର । ମୁମ୍ବାଇ ପରେ ଉତ୍ତରାଖଣ୍ଡରେ ଭୀଷଣ ସଡ଼କ ଦୁର୍ଘଟଣା ହୋଇଛି । ଉତ୍ତରାଖଣ୍ଡ ଅଲମୋରା ଜିଲ୍ଲା ଭିକିୟାସୈନ୍ ନିକଟରେ ଖାଇକୁ ଏକ ଯାତ୍ରୀବାହୀ ବସ୍ ଖସିପଡିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ବସ୍ରେ ୧୨ ଜଣ ଯାତ୍ରୀ ଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଲମୋରା ଏସଏସପି ଦେବେନ୍ଦ୍ର ପିଚାଙ୍କ ଅନୁସାରେ, ଦୁର୍ଘଟଣାର ଖବର ପାଇ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚଥିଲେ । ଏସଡିଆରଏଫ ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁସାରେ ୬ରୁ୭ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଭିକିୟାସୈନ୍ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର କାରଣ ଖୋଜା ଚାଲିଛି । କୁହୁଡ଼ି କାରଣକୁ ବସ୍ଟି ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିଥିବା ଅନୁମାନ କରାଯାଉଛି । କହି ରଖୁଛୁ କି, ମୁମ୍ବାଇର ଭାଣ୍ଡୁପ୍ ପଶ୍ଚିମ ଷ୍ଟେସନ ରୋଡ୍ ଅଞ୍ଚଳରେ ସକାଳୁ ସକାଳୁ ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି । ରିଭର୍ସ ନେଉଥିବା ସମୟରେ ପଥଚାରୀଙ୍କୁ ଉପରେ ମାଡିଗଲା ବସ୍ । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ଟି ରିଭର୍ସ ନେଉଥିବା ସମୟରେ ଯାତ୍ରୀମାନଙ୍କୁ ଧକ୍କା ଦେଇଥିଲା ।
