ନୂଆଦିଲ୍ଲୀ: ଆରାବଳି ପର୍ବତମାଳାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ। ସୋମବାର ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ ଉପରେ ଲଗାଇଛନ୍ତି ରୋକ। ଏହା ସହ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ୨୦ ନଭେମ୍ବରରେ ଯେଉଁ ରାୟ ଦେଇଥିଲେ ତାହା ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଲାଗୁ ହେବ ନାହିଁ। ଆଉ ସେପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ବିସ୍ତୃତ ଭାବରେ ବିଚାର କରାଯିବ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣୀ ୨୧ ଜାନୁଆରୀରେ ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, କୋର୍ଟଙ୍କ ରିପୋର୍ଟ କିମ୍ବା ନିର୍ଦେଶ ଲାଗୁ କରିବା ପୂର୍ବରୁ ନିରପେକ୍ଷ ଓ ସ୍ବତନ୍ତ୍ର ବିଶେଷଜ୍ଞଙ୍କ ରାୟ ଉପରେ ବିଚାର କରାଯିବା ଉଚିତ। ଆରାବଳୀ ରେଞ୍ଜର ପରିଭାଷା ସଠିକ ଭାବରେ ହେବା ଦରକାର ନଚେତ ପରିବେଶକୁ କ୍ଷତି ହୋଇପାରେ।
