ମୁମ୍ବାଇ : ଭାରତ ରତ୍ନ, ପଦ୍ମଶ୍ରୀ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଭଳି ନାଗରିକ ସମ୍ମାନ କୌଣସି ଉପାଧି ନୁହେଁ । ତେଣୁ ଏହାକୁ କାହାରି ନାଁ ଆଗରେ କିମ୍ବା ପଛରେ ଲଗାଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି । ଏକ ପିଟିସନରେ କେସ୍ ଟାଇଟଲରେ ପଦ୍ମଶ୍ରୀ ଲେଖାଯାଇଥିବା ଦେଖି ଜଷ୍ଟିସ୍ ସୋମଶେଖର ସୁନ୍ଦରେସନଙ୍କ ଖଣ୍ଡପୀଠ ବୁଧବାର ଏହା କହିଛନ୍ତି । ପିଟିସନରେ ୨୦୦୪ରେ ପଦ୍ମଶ୍ରୀରେ ସମ୍ମାନିତ ଡା. ଶରଦ ମୋରେଶ୍ୱର ହାର୍ଦିକର ଜଣେ ପକ୍ଷକାର ଥିଲେ । କେସ୍ ଟାଇଟଲରେ ତାଙ୍କ ନାଁ ପଦ୍ମଶ୍ରୀ ଡା. ଶରଦ ମୋରେଶ୍ୱର ହାର୍ଦିକର ଲେଖାଯାଇଥିଲା । ଏହା ଉପରେ ଖଣ୍ଡପୀଠ ଆପତ୍ତି ଉଠାଇଥିଲେ । ୧୯୯୫ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଦେଇଥିବା ଏକ ରାୟ କଥା ଉଠାଇ ହାଇକୋର୍ଟ ଯଦି କୌଣସି ବ୍ୟକ୍ତି ପୁରସ୍କାରକୁ ନିଜ ନାଁ ସହ ଲଗାନ୍ତି ତେବେ ତାଙ୍କଠାରୁ ଜାତୀୟ ପୁରସ୍କାର ପ୍ରତ୍ୟାହୃତ କରିନିଆଯାଇପାରିବ । ସେହି ଫଇସଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ପଦ୍ମ ପୁରସ୍କାର ଏବଂ ଭାରତ ରତ୍ନ କୌଣସି ଉପାଧି ନୁହେଁ । ତାହାକୁ ନିଜ ନାଁର ଆଗରେ କିମ୍ବା ପଛରେ ବ୍ୟବହାର କରାଯିବା ଉଚିତ ନୁହେଁ । ଜଷ୍ଟିସ୍ ସୁନ୍ଦରେସନ କହିଥିଲେ, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସମ୍ବିଧାନର ଅନୁଚ୍ଛେଦ ୧୪୧ ଅନୁସାରେ ସମସ୍ତଙ୍କ ଉପରେ ଲାଗୁ ହେଉଛି । ଏହାକୁ କଡ଼ାକଡ଼ି ପାଳନ କରାଯିବା ଉଚିତ ।
