ମାଲକାନଗିରି:ଦୁର୍ବଳ ହେବାରେ ଲାଗିଛି ଲାଲଗଡ଼। ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ୯ଟି ବନ୍ଧୁକ, ୧୪ଟି ଟିଫିନ୍ ବୋମା, ବନ୍ଧୁକ-ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ।ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପୁଲିସ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ମାଓ ସଙ୍ଗଠନ ନିଜର ଶେଷ ନିଶ୍ୱାସ ନେଉଥିବା ବେଳେ ଅନ୍ୟ ଯେଉଁମାନେ ମାଓ ସଙ୍ଗଠନରେ ଅଛନ୍ତି ସେମୀନଙ୍କୁ ମଧ୍ୟ ପୁଲିସ ଡିଜି ଆତ୍ମସମର୍ପଣ ପାଇଁ ଆବାହନ କରିଛନ୍ତି । ହିଂସାର ପଥ ଛାଡି ଆତ୍ମସମର୍ପଣ କରିଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ଡିଜି ପ୍ରକାଶ କରିଛନ୍ତି । ଏହି ଆତ୍ମସମର୍ପଣକାରୀଙ୍କ ନାମରେ ୨ କୋଟି ୨୫ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ରାଶି ଥିଲା । ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ସେ କହିଛନ୍ତି । ଦୁଇଜଣ ଆନ୍ଧ୍ର-ଓଡିଶା ବର୍ଜର ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛନ୍ତି । ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ ।
