କଟକ : ନିଜେ ୧୦ ବର୍ଷ ଧରି କର୍କଟ ସହ ଲଢ଼ି ଜିତିଲେ । ଯୁଦ୍ଧରେ ଜିତି ଅଣ୍ଟା ସଳଖିବା ବେଳକୁ ଏକମାତ୍ର ପୁଅ ବ୍ରେନ୍ ଟ୍ୟୁମର୍ରେ ପୀଡ଼ିତ ହେଲେ । ଏଭଳି ସ୍ଥିତିରେ ଜଣେ ମା’ଙ୍କୁ କେତେ ଯନ୍ତ୍ରଣା ଦେଉଥିବ ତାହା ସହଜରେ କଳନା କରିହେବ ନାହିଁ । ତଥାପି ଭାଙ୍ଗି ନ ପଡ଼ି, ଝଡ଼ଝଞ୍ଜାକୁ ସାମ୍ନା କରି ୬୩ ବର୍ଷ ବୟସରେ ଓଡ଼ିଆରେ ଫାଷ୍ଟ୍ ଡିଭିଜନ୍ରେ ଏମ୍ଏ ପାସ୍ କରିଛନ୍ତି କଟକ ଝାଞ୍ଜିରୀମଙ୍ଗଳାର ସୁନନ୍ଦା ବିଶ୍ୱାଳ । ବୃତ୍ତିରେ ଜଣେ ଆଇନଜୀବୀ, କିନ୍ତୁ ତା’ଠାରୁ ବଳି ସେ ଜଣେ ଦାୟିତ୍ୱବାନ୍ ଗୃହିଣୀ ଓ କର୍ତ୍ତବ୍ୟସମ୍ପନ୍ନ ମା’ । ସୁନନ୍ଦା ବିଶ୍ୱାଳ ଆଜକୁ ୩୭ବର୍ଷ ଧରି ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ବିଏ, ଏଲ୍ଏଲ୍ବି କରିବା ପରେ ସେ ଓକିଲାତି ଆରମ୍ଭ କରିଥିଲେ । ପରେ ପାଠପଢ଼ା ଆଗକୁ ବଢ଼ିପାରି ନଥିଲା । ଆଇନଜୀବୀ ଦୁଷ୍ମନ୍ତ କୁମାର ବିଶ୍ୱାଳଙ୍କ ସହ ତାଙ୍କର ବିବାହ ହୋଇଥିଲା । ପରିବାର ସଦସ୍ୟଙ୍କ ସହଯୋଗ ଓ ପ୍ରୋତ୍ସାହନରେ ସେ ଆଇନ ପେସାରେ ସଫଳ ହୋଇପାରିଛନ୍ତି । କିନ୍ତୁ ଓଡ଼ିଆରେ ତାଙ୍କର ଲେଖାପଢ଼ା କରିବା ସଉକ ରହିଆସିଛି । ବିଭିନ୍ନ ଓଡ଼ିଆ ଖବରକାଗଜରେ ତାଙ୍କର ଅନେକ କବିତା ପ୍ରକାଶ ପାଇବା ପରେ ତାଙ୍କର ଦୁଇଖଣ୍ଡ କବିତା ପୁସ୍ତକ ବି ପ୍ରକାଶ ପାଇଛି । ଏ ସବୁ ଭିତରେ ୨୦୦୬ ମସିହା ବେଳକୁ ସୁନନ୍ଦା କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ । ପ୍ରାୟ ୧୦ ବର୍ଷ ଧରି କର୍କଟ ସହ ଲଢ଼ି ବିଜୟୀ ହେବା ପରେ ହଠାତ୍ ଏକମାତ୍ର ପୁଅର ବ୍ରେନ୍ରେ ଟ୍ୟୁମର୍ ଥିବା ଜଣାପଡ଼ିଲା । ଏବେ ସୁଦ୍ଧା ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପୁଅର ଦେଖାଶୁଣା କରୁଛନ୍ତି ସୁନନ୍ଦା । ଏସବୁ ବାଧା ସତ୍ତ୍ଵେ ୨୦୨୧ରେ ସେ ଓଡ଼ିଆରେ ଏମ୍ଏ କରିବାକୁ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟିରେ ନାମ ଲେଖାଇଥିଲେ । ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟର୍ ବି ଦେଇଥିଲେ । କିନ୍ତୁ ହଠାତ୍ ପୁଅର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ତୃତୀୟ ଓ ଚତୁର୍ଥ ସେମିଷ୍ଟର୍ ପରୀକ୍ଷା ଦେଇପାରି ନଥିଲେ । ପରେ ପୁଅର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ସେ ବାକି ଦୁଇ ସେମିଷ୍ଟର୍ ପରୀକ୍ଷା ଦେବା ସହ ଚଳିତ ବର୍ଷ ଓଡ଼ିଆ ଏମ୍ଏ (ସ୍ନାତ୍ତକୋତ୍ତର) ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୁନନ୍ଦା କହନ୍ତି, ଜୀବନରେ ବହୁତ ଝଡ଼ଝଞ୍ଜା ଆସିଛି କିନ୍ତୁ ସେ ସବୁକୁ ଅତିକ୍ରମ କରି ନିଜ ଲକ୍ଷ୍ୟ ପୂରଣ କରିବା ମୋ ପାଇଁ ଚ୍ୟାଲେଞ୍ଜ୍ ଥିଲା । କିନ୍ତୁ ଆଜି ଖୁସି ଯେ ମୁଁ ମୋ ଲକ୍ଷ୍ୟରେ ସଫଳ ହୋଇଛି । ୬୩ ବର୍ଷରେ ପଢ଼ିବା, ପରୀକ୍ଷା ଦେବା ମୋ ପକ୍ଷେ ଆଦୌ କଷ୍ଟସାଧ୍ୟ ନ ଥିଲା, ବରଂ ମୋତେ ଆନନ୍ଦିତ କରିଥିଲା । ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ରହିଲେ ସବୁକିଛି ସମ୍ଭବ ବୋଲି ସୁନନ୍ଦା ପ୍ରକାଶ କରିଛନ୍ତି ।
