ରାଉରକେଲା: ସୁନ୍ଦରଗଡ଼ର ସମୃଦ୍ଧ ଜନଜାତି ସଂସ୍କୃତିକୁ ଦେଖିବ ସାରା ଜଗତ । ଆଦିବାସୀ ପରମ୍ପରା, ବେଶପୋଷାକ, ଖାଦ୍ୟପେୟ, କଳାସଂସ୍କୃତି, ଜୀବନଜୀବିକା ବିଷୟରେ ଜାଣିବେ ଲୋକେ । ଏଥିପାଇଁ ପ୍ରସ୍ତୁତ ହେଉଛି ରାଉରକେଲା ଜନଜାତି ସଂଗ୍ରହାଳୟ । କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବିଭିନ୍ନ ସୂକ୍ଷ୍ମକାର୍ଯ୍ୟରେ ଦିଆଯାଉଛି ଶେଷସ୍ପର୍ଶ । ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ଆସନ୍ତା ୨୨ତାରିଖରେ ଏହାର ଲୋକାର୍ପଣ ହୋଇପାରେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଉଦ୍ଘାଟନ କରିପାରନ୍ତି । ହେଲେ ଅଦ୍ୟାବଧି ଏହା ସ୍ପଷ୍ଟ ହୋଇନାହିଁ ।
‘ରାଉରକେଲା ୱାନ୍’ ପରିସରରେ ନିର୍ମାଣ ହେଉଛି ରାଉରକେଲା ଜନଜାତି ସଂଗ୍ରହାଳୟ । କେବଳ ସୁନ୍ଦରଗଡ଼ ନୁହେଁ, ରାଜ୍ୟର ବିଭିନ୍ନ ଜନଜାତି ସମ୍ପ୍ରଦାୟର ଲୋକଙ୍କ ବିବିଧ ସଂସ୍କୃତିକୁ କଳାତ୍ମକ ଢଙ୍ଗରେ ଏଠାରେ ପ୍ରଦର୍ଶିତ କରାଯାଇଛି । ତିନିମହଲା ବିଶିଷ୍ଟ ଜନଜାତି ସଂଗ୍ରହାଳୟର ତଳ ମହଲା (ଗ୍ରାଉଣ୍ଡ ଫ୍ଲୋର)ରେ ରିସେପସନ୍ ଓ ଅପେକ୍ଷା କେନ୍ଦ୍ର, ଆଦି ଆବାସ, ସ୍ମାରକୀ ଓ ପାଠାଗାର ରହିଛି । ପ୍ରଥମ ମହଲା (ଫାଷ୍ଟ ଫ୍ଲୋର)ରେ ଆଦି ସଂସ୍କୃତି, ଆଦି ବାଣୀକୁ ଦର୍ଶକ ଦେଖିପାରିବେ ।
ଦ୍ୱିତୀୟ ମହଲା (ସେକଣ୍ଡ ଫ୍ଲୋର)ରେ ଆଦି କଳା, ଆଦିବାସୀ ଧର୍ମପୀଠ, ଆଦିବାସୀଙ୍କ ଉପଲବ୍ଧିତ ଗ୍ୟାଲେରୀ, ଟେରାକୋଟା ଗ୍ୟାଲେରୀ, ପିଭିଟିଜିଏସ୍ ଫଟୋ ଗ୍ୟାଲେରୀ ରହିଛି । ଆଦିବାସୀଙ୍କ ବାସଗୃହ, ଜୀବନଚର୍ଯ୍ୟା ଠାରୁ ଆରମ୍ଭ କରି ଖାଦ୍ୟପେୟ, ବେଶପୋଷାକ ସବୁ ଟିକିନିଖି ବିଷୟବସ୍ତୁକୁ ଜନଜାତି ସଂଗ୍ରହାଳୟରେ ଗୁରୁତ୍ୱ ଦିଆଯାଇଛି । ଜଣେ ପର୍ଯ୍ୟଟକ ଯେପରି ସୁଖଦ ଅନୁଭୂତି ନେଇ ଫେରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସଂଗ୍ରହାଳୟ ରାଉରକେଲା ସ୍ମାର୍ଟ ସିଟି ଅଧୀନରେ ରହିଛି । ଉଦ୍ଘାଟନ ପରେ ଏହାକୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ହସ୍ତାନ୍ତର କରାଯିବ । ଏହାପରେ ଟିକେଟ୍ ଫି’ ନିର୍ଦ୍ଧାରଣ ହେବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପାନପୋଷ ହକି ଛକ ନିକଟରେ ପ୍ରାୟ ୧୦୦ କୋଟି ଟଙ୍କାରେ ରାଉରକେଲା ୱାନ୍ ପ୍ରକଳ୍ପ ନିର୍ମାଣ କରାଯାଉଛି । ରାଉରକେଲା ୱାନ୍ରେ ଜନଜାତି ସଂଗ୍ରହାଳୟ, ଆଇସିସି (ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଡୋଲ୍ ସେଣ୍ଟର ) ଓ ଅଡିଟୋରିୟମ୍ ପ୍ରସ୍ତୁତ କରାଯାଉଛି । ଇତି ମଧ୍ୟରେ ଜନଜାତି ସଂଗ୍ରହାଳୟ ଓ ଆଇସିସିସି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜନଜାତି ସଂଗ୍ରହାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ମିଳିବ । ପିଲାମାନେ ଆଦିବାସୀଙ୍କ ବିଷୟରେ ଅନେକ ଜ୍ଞାନ ପାଇପାରିବେ । ଏହା ରାଉରକେଲା ପର୍ଯ୍ୟଟନକୁ ସମୃଦ୍ଧ କରିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି
