୫୦ ବର୍ଷ ପରେ ବଡ଼ ପରଦାରେ ‘ଶୋଲେ’ । ନୂଆ ଅନ୍ଦାଜ୍, ନୂଆ କ୍ଲାଇମାକ୍ସ । ଭାରତୀୟ ସିନେମା ଜଗତର ଏହି ସବୁଠୁ ଚର୍ଚ୍ଚିତ ଫିଲ୍ମରେ ଦର୍ଶକ ଯାହା ଦେଖିନଥିଲେ, ୫୦ ବର୍ଷ ପରର ‘ଶୋଲେ’ରେ ତାହା ଦେଖିବାକୁ ପାଇବେ । ଶତାବ୍ଦୀର ଏହି ମହା ମନୋରଞ୍ଜନଧର୍ମୀ ଫିଲ୍ମର ଟାଇଟଲ୍ ‘ଶୋଲେ- ଦ ଫାଇନାଲ କଟ୍’ । ୧୫୦୦ ସିନେ ପରଦାରେ ଫିଲ୍ମ ରିଲିଜ୍ ଯୋଜନା ହୋଇଛି । ୪କେ ଭର୍ସନ ସହିତ ପରଦାକୁ ଫେରିଛି ରମେଶ ସିପ୍ପିଙ୍କ ‘ଶୋଲେ: ଦ ଫାଇନାଲ କଟ୍’, ଯେଉଁଥିରେ ଦର୍ଶକ ପ୍ରଥମ ଥର ମୂଳ କ୍ଲାଇମାକ୍ସ ଦେଖିବାକୁ ପାଇବେ ।
ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଦ୍ୱାରା ଫିଲ୍ମର ସଂରକ୍ଷଣ କରାଯାଇଛି । ମୂଳ ଫିଲ୍ମର ସଂରକ୍ଷିତ ସଂସ୍କରଣ ସିନେମା ଇତିହାସରେ ସ୍ୱତନ୍ତ୍ର ସ୍ଥାନ ବହନ କରିଛି, କାରଣ ରିଲିଜ୍ ପୂର୍ବରୁ ଏହାର ମୂଳ କ୍ଲାଇମାକ୍ସ ସିନ୍କୁ ହଟାଇ ଦିଆଯାଇଥିଲା । ସେତେବେଳେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଫିଲ୍ମର ହିଂସାତ୍ମକ ସିନ୍କୁ ନେଇ ଆପତ୍ତି ଉଠାଇଥିଲା । ୧୯୭୫ ମସିହା ‘ଶୋଲେ’ରେ ଠାକୁର ବଲଦେବ ସିଂହ (ସଞ୍ଜୀବ କୁମାର) ନିଜର କଣ୍ଟାଯୁକ୍ତ ଜୋତାରେ ଡାକୁ ଗବ୍ୱର ସିଂହ (ଅମଜାଦ ଖାନ୍) କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ଏହି ଭୟଙ୍କର ଡାକୁକୁ ପୁଲିସ ଗିରଫ କରିଥିଲା ଏବଂ ଠାକୁରଙ୍କୁ ମନେପକାଇ ଦେଇଥିଲା ଯେ ଆଇନକୁ ହାତକୁ ନେବା ଭୁଲ । କିନ୍ତୁ ସଲିମଜାବେଦଙ୍କ ଦ୍ୱାରା ଲିଖିତ ମୂଳ କ୍ଲାଇମାକ୍ସରେ ଠାକୁର ବଲଦେବ ସିଂହ ପ୍ରତିଶୋଧ ନେବା ପାଇଁ ନିଜର କଣ୍ଟାଯୁକ୍ତ ଜୋତାରେ ଗବ୍ୱର ସିଂହକୁ ହତ୍ୟା କରିଥିଲେ ।
ଶତାବ୍ଦୀର ଏହି ଚର୍ଚ୍ଚିତ ଫିଲ୍ମରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମାମାଲିନୀ, ଜୟା ବଚ୍ଚନ, ସଞ୍ଜୀବ କପୁର, ସଚିନ ପିଲଗାଓଁକର, ଗୋବର୍ଦ୍ଧନ ଆସ୍ରାନି, ଅମଜାଦ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ଦର୍ଶକୀୟ ଆଦୃତି ପାଇଥିଲା ଏବଂ ସେ ବର୍ଷ ସର୍ବାଧିକ ବ୍ୟବସାୟ କରିଥିଲା । ଗତ ଅଗଷ୍ଟରେ ‘ଶୋଲେ’ର ରିଲିଜ୍କୁ ୫୦ ବର୍ଷ ପୂରିଥିଲା । ୫୦ ବର୍ଷ ପରେ ବି ସିନେମା ଉଦ୍ୟୋଗ ଓ ସିନେପ୍ରେମୀ ‘ଶୋଲେ’କୁ ନେଇ ଚର୍ଚ୍ଚା କରିବେ ବୋଲି ନିର୍ଦ୍ଦେଶକ ରମେଶ ସିପ୍ପି କଦାପି କଳ୍ପନା କରିନଥିଲେ । ଦୀର୍ଘ ବର୍ଷ ପରେ ବି ଏହା ଦର୍ଶକଙ୍କୁ ଥିଏଟରକୁ ଆକୃଷ୍ଟ କରିବ ବୋଲି ତାଙ୍କର ଧାରଣା ନ ଥିଲା । ୫୦ ବର୍ଷ ପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ସେ ଖୁବ୍ ଉତ୍ସାହିତ ଅଛନ୍ତି ।
ରମେଶ କହିଛନ୍ତି, କିଛି ମାସ ତଳେ ସେ ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଯୋଗ ଦେଇଥିଲେ । ସେଠାରେ ‘ଶୋଲେ’ ପ୍ରଦର୍ଶିତ ହୋଇଥିଲା । ଥିଏଟରରେ ଗୋଟିଏ ବି ସିଟ୍ ଖାଲି ନ ଥିଲା । ୫୦ ବର୍ଷ ତଳେ ଦର୍ଶକ ଯେମିତି ଉତ୍ସାହ ଦେଖାଇଥିବେ, ସମାନ ଉତ୍ସାହ ସେଠାରେ ପ୍ରଦର୍ଶନ କରିଥିଲେ । ଏହା ତାଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ଥିଲା । ତେବେ ଫିଲ୍ମର ଶେଷ ସିନ୍ରେ ପରିବର୍ତ୍ତନକୁ ନେଇ ସିପ୍ପି ଆଦୌ ଖୁସି ନ ଥିଲେ । କିନ୍ତୁ ଭାରତରେ ଆପାତକାଳ ସମୟରେ ସେନ୍ସର ବୋର୍ଡ ଏହାକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିବାରୁ ସେ ବାଧ୍ୟହୋଇ ପରିବର୍ତ୍ତନ କରିଥିଲେ । ଦର୍ଶକ ଏବେ ମୂଳ କ୍ଲାଇମାକ୍ସ ଦେଖିବାକୁ ସୁଯୋଗ ପାଇଛନ୍ତି । ଲୋକେ ଫିଲ୍ମର ଦୁଇଟିଯାକ ସଂସ୍କରଣକୁ ସର୍ବଦା ଭଲପାଉଥିବେ ବୋଲି ସେ କହିଛନ୍ତି ।
