ଭୁବନେଶ୍ଵର : ରାଷ୍ଟ୍ରଗାନ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ବନ୍ଦେ ମାତରମ୍-ଏକ ଗୀତ ନୁହେଁ, ଏହା ଭାରତର ଆତ୍ମା। କାରଣ ଏଇ ଗୀତ ଆମକୁ ସଂଘର୍ଷ ଭରା ସ୍ଵାଧୀନତା ସଂଗ୍ରାମ ବିଷୟରେ ମନେ ପକାଇ ଦିଏ । ଏହି ରାଷ୍ଟ୍ରଗୀତ ଆମ ଶିରା ପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତର ବେଗ, ଆଉ ଆମ ପ୍ରଶ୍ୱାସର ଗତି ସହିତ ଜଡ଼ିତ । ଜଣେ ସାଧାରଣ ସାହିତ୍ୟିକ ଯେପରି କୌଣସି ସଂକଳନ ରଚନା କରନ୍ତି, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ସେପରି ନଥିଲେ। ସେ ଶବ୍ଦରେ ଜୀବନ ଭରିଥିଲେ, ପ୍ରତ୍ୟେକ ପଦରେ ଅଗ୍ନି ଭରି ଦେଉଥିଲେ। ୭ ନଭେମ୍ବର ୧୮୭୫ ରେ ଯେତେବେଳେ ତାଙ୍କ ଅମର କୃତି “ଆନନ୍ଦ ମଠ” ମାଧ୍ୟମରେ ‘ବନ୍ଦେ ମାତରମ୍’ ପ୍ରଥମେ ପ୍ରକାଶିତ ହୋଇଥିଲା, ସେତେବେଳେ ଗୋଟେ ନୂଆ ଯୁଗର ଆରମ୍ଭ ହେଲା। ବଙ୍କିମ୍ ଚନ୍ଦ୍ରଙ୍କ ଆନନ୍ଦ ମଠ ଉପନ୍ୟାସ ଦେଶର ସ୍ୱାଧୀନତା ସଂଗ୍ରାମରେ ଗଭୀର ପ୍ରଭାବ ପକାଇଥିଲା। ଆନନ୍ଦ ମଠ ଉପନ୍ୟାସରେ ବନ୍ଦେ ମାତରମ୍ ଗୀତ ପ୍ରକାଶିତ ହୋଇଥିଲା। ୧୮୭୫ ମସିହା ଅକ୍ଷୟ ନବମୀ ନଭେମ୍ବର ୭ ତାରିଖରେ ଏହି ଗୀତ ଲେଖାଯାଇଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦିନ ଏହାର ୧୫୦ତମ ପୂର୍ତ୍ତି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୮୮୨ରେ ଆନନ୍ଦ ମଠ ପ୍ରକାଶିତ ହୋଇଥିଲା ଏବଂ ୧୮୯୬ରେ ରବୀନ୍ଦ୍ରନାଥ ଟାଗୋର ପ୍ରଥମେ ଏହି ଗୀତକୁ ପାଠ କରିଥିଲେ। ଏହି ସଂଗୀତ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଗଭୀର ରେଖାପାତ କରିଥିଲା। କାରଣ ପ୍ରଥମ ଥର ପାଇଁ ଭାରତ ଭୂ-ଖଣ୍ଡକୁ ଭାରତ ମାତା ରୂପେ ବର୍ଣ୍ଣନା କରି ଏହି ସଂଗୀତ ଲେଖାଯାଇଥିଲା । ମାତୃ ସ୍ୱରୂପା ମାତୃଭୂମି ଚିନ୍ତାଧାରା ସମସ୍ତଙ୍କ ଉପରେ ଗଭୀର ରେଖାପାତ କରିଥିଲା ଏବଂ ଦେଶବାସୀ ପ୍ରବଳ ଉତ୍ସାହ ଓ ଭାବବିହ୍ୱଳ ହୋଇ ଇଂରେଜ ବିରୋଧୀ ସଂଗ୍ରାମରେ ଯୋଗ ଦେଇଥିଲେ। ଲୋକଙ୍କ ଭିତରେ ଏହା ଏକ ବୈପ୍ଳବିକ ମନୋଭାବ ସୃଷ୍ଟି କରିଥିଲା। ଏହି ସଂଗୀତ ଏତେ ଲୋକପ୍ରିୟ ହୋଇଥିଲା, ବ୍ରିଟିଶ ସରକାର ଭୟଭୀତ ହୋଇ ଏହାକୁ ବ୍ୟାନ କରିଥିଲେ। ସ୍ୱାଧୀନତା ପରଠାରୁ ଯଦିଓ ରାଷ୍ଟ୍ରଗୀତ ଭାବେ ଏହାକୁ ମର୍ଯ୍ୟାଦା ଦିଆଯାଇଛି, କିନ୍ତୁ ଏହାର ଗୁରୁତ୍ବକୁ ଅବକ୍ଷୟ କରିବା ପାଇଁ କିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀଙ୍କ ଦ୍ଵାରା ପ୍ରଚେଷ୍ଟା ଚାଲିଛି, ବିଶେଷ ଭାବେ ସ୍ଵାଧୀନତା ପରବର୍ତ୍ତୀ ଭରତରେ । ସେଥିପାଇଁ ପ୍ରଧାନମନ୍ତ୍ରୀ ଏହି ସବୁ ଭାବନାଗୁଡିକୁ ପୁଣିଥରେ ଜାଗ୍ରତ କରିବା ପାଇଁ ବନ୍ଦେ ମାତରମ୍ ପରି ରାଷ୍ଟ୍ରଗୀତକୁ ଉତ୍ସବ ଆକାରରେ ପାଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆମେ ଯେ କୌଣସି ଭାଷାର ହେଉ, ବା ଯେ କୌଣସି ଧର୍ମ କିମ୍ବା ଯେ କୌଣସି ଅଞ୍ଚଳର ହେଉ-ସମସ୍ତଙ୍କ ଭିତରେ ଯଦି ଦେଶପ୍ରେମ ଭାବ ନରହିବ, ତେବେ ଦେଶର ସାମଗ୍ରିକ ଉନ୍ନତି ଅସମ୍ଭବ। ଦେଶପ୍ରେମକୁ କୃତ୍ରିମ ଭାବେ କାହା ମନରେ ଜୋର୍ ଜବରଦସ୍ତି ଲଦି ଦିଆଯାଇ ପାରେନା, ଏହା ହେଉଛି ମନଭିତରର କଥା, ହୃଦୟର କଥା। ବନ୍ଦେ ମାତରମ୍ ପରି କାଳଜୟୀ ଗୀତ ଆମ ହୃଦୟରେ ଦେଶ ପ୍ରେମର ଗଭୀର ଅନୁଭବ ସୃଷ୍ଟି କରେ। ବ୍ରିଟିଶ ଶାସନର ଶିକୁଳିରେ ବନ୍ଧା ଜନମାନସର ହୃଦୟରେ ଏହି ଗୀତ ଦେଶପ୍ରେମର ଜ୍ୱାଳା ଭରି ଦେଇଥିଲା। ଜୀର୍ଣ୍ଣ ମନୋବଳରେ ନୂତନ ଶକ୍ତି ଫୁଟି ଆସିଲା ଏବଂ ଆରମ୍ଭ ହେଲା ଭାରତର ସ୍ୱାଧୀନତା ସଂଗ୍ରାମର ନୂଆ ଦିଗ।
