କଟକ: ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ୍ । ବାରବାଟୀରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ । ଏ ନେଇ ଦୁଇ ଦଳର ଖେଳାଳି ବାରବାଟୀରେ ପ୍ରାକ୍ଟିସ୍ କରିଛନ୍ତି । ମୁକାବିଲା ପୂର୍ବରୁ ବାରବାଟୀରେ ପ୍ରେସମିଟ୍ କରିଛନ୍ତି ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଟିମ୍ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଏହା ସହିତ ଟି-ଟ୍ୱେଣ୍ଟି ବିଶ୍ୱକପ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖି ସୂର୍ଯ୍ୟ କହିଛନ୍ତି, ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢାଯାଏ ନାହିଁ । ଏ ନେଇ ଆମ ପ୍ରସ୍ତୁତି କେବେଠୁ ଚାଲିଛି ।
କ୍ୟାପ୍ଟେନ୍ ସୂର୍ଯ୍ୟକୁମାର କହିଛନ୍ତି, ଗତ ୫ରୁ୬ ସିରିଜରେ ଟିମ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନ କରିନାହୁଁ ତେଣୁ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ । ଆଗକୁ ବି ବେଶୀ ଅଦଳବଦଳ କରିବୁ ନାହିଁ । ଆଶା କରୁଛି ସବୁ ଭଲ ହେବ । ଶୁଭମନ ଗିଲ୍ ଫିଟ୍ ହୋଇ ଫେରିଛନ୍ତି । ତେଣୁ ସେ ତାଙ୍କ ସ୍ଥାନରେ ଖେଳିବେ । ସଞ୍ଜୁ ସାମସନ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମ ଦୁବେ ଅଲରାଉଣ୍ଡର, କାହାକୁ କାହା ସହ ତୁଳନା କରିବା ଠିକ୍ ନୁହେଁ । ୩ ନମ୍ବରରୁ ୭ ଯାଏ ସବୁ ବ୍ୟାଟର ଯେ କୌଣସି ସ୍ଥାନରେ ବ୍ୟାଟିଂ କରିପାରିବେ । ବାରବାଟୀରେ ବହୁ ପୂର୍ବରୁ ଘରୋଇ ମ୍ୟାଚ ଖେଳିବାର ଅନୁଭୂତି ରହିଛି । ନିଜ ପ୍ରସ୍ତୁତି ଗୁରୁତ୍ୱ ବହନ କରେ । ଟି-ଟ୍ୱେଣ୍ଟି ଫର୍ମାଟରେ ଆସନ୍ତା ବିଶ୍ୱକପ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖି ସୂର୍ଯ୍ୟକୁମାର କହିଛନ୍ତି, ”ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢାଯାଏ ନାହିଁ । ତେଣୁ ଆମେ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଆଶା କରୁଛୁ ସବୁ ଭଲ ହେବ । ”
