ନୂଆଦିଲ୍ଲୀ : ହିନ୍ଦୁଙ୍କ ବିନା ଦୁନିଆର ଅସ୍ତିତ୍ଵ ରହିବନି। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ପ୍ରମୁଖ ମୋହନ ଭାଗବତଙ୍କ ବଡ଼ ବୟାନ। ମଣିପୁର ଗସ୍ତ ସମୟରେ ଏକ ସଭାରେ ସମ୍ବୋଧନ କରି ମୋହନ ଏଭଳି କହିଛନ୍ତି। ଭାଗବତ କହିଛନ୍ତି ଯେ, ଦୁନିଆ ତିଷ୍ଠିବାରେ ହିନ୍ଦୁ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହିନ୍ଦୁ ସମାଜ ଅମର। ଭାରତ ୟୁନାନ, ମିଶର ଏବଂ ରୋମ ଭଳି ସାମ୍ରାଜ୍ୟକୁ ପଛରେ ପକାଇ ଦେଇଛି। ଆରଏସଏସ୍ ମୁଖ୍ୟ ମହିଛନ୍ତି ଯେ, ଦୁନିଆର ପ୍ରାୟତଃ ଦେଶ ସବୁ ପ୍ରକାରର ପରିସ୍ଥିତି ଦେଖିଛନ୍ତି। ୟୁନାନ(ଗ୍ରୀସ୍), ମିଶର ଏବଂ ରୋମର ସବୁ ସଭ୍ୟତା ପୃଥିବୀରୁ ନଷ୍ଟ ହୋଇଯାଇଛି। ହେଲେ ଭାରତର ସଭ୍ୟତା ଏବେ ବି ଉଜ୍ଜିବୀତ ଅଛି। ଭାରତ ଏକ ଅମର ସଭ୍ୟତାର ନାମ। ଆମେ ଆମ ସମାଜରେ ଏଭଳି ଏକ ନେଟୱର୍କ ତିଆରି କରିଛୁ ଯେଉଁଥିପାଇଁ ହିନ୍ଦୁ ସମୁଦାୟ ସର୍ବଦା ତିଷ୍ଠି ରହିପାରିବ। ଯଦି ହିନ୍ଦୁ ଲୋପ ପାଇଯିବେ ତାହେଲେ ଦୁନିଆର ଅସ୍ତିତ୍ଵ ନଷ୍ଟ ହୋଇଯିବ। ଏହା ପୂର୍ବରୁ ସେ କହିଥିଲେ ଯେ, ଭାରତରେ କେହି ବି ଅଣହିନ୍ଦୁ ନୁହଁନ୍ତି। କାରଣ ମୁସଲମାନ ଏବଂ ଖ୍ରୀଷ୍ଟିଆନ ଜଣେ ପୂର୍ବଜଙ୍କ ବଂଶଜ। ଏହି ସମୟରେ ଭାଗବତ କହିଛନ୍ତି ଯେ, ଦେଶକୁ ମଜବୁତ କରିବା ପାଇଁ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭର ହେବା ଜରୁରୀ। ଆମେ କାହା ଉପରେ ନିର୍ଭର ହେବା ଉଚିତ୍ ନୁହେଁ। ରାଷ୍ଟ୍ର ନିର୍ମାଣ ପାଇଁ ସୈନ୍ୟ କ୍ଷମତା ଏବଂ ଜ୍ଞାନ କ୍ଷମତା ଦୁଇଟି ଯାକ ଗୁରୁତ୍ଵପୂର୍ଣ୍ଣ। ରାଷ୍ଟ୍ର ନିର୍ମାଣ ପାଇଁ ପ୍ରଥମ ଆବଶ୍ୟକତା ଶକ୍ତି। ଶକ୍ତିର ଅର୍ଥ ଆର୍ଥିକ କ୍ଷମତା। ଶ୍ରେଷ୍ଠତା ଶବ୍ଦର ଅର୍ଥ କେବେ କେବେ ଭୁଲ୍ ହୋଇଥାଏ। ଆମେରିକା ଭାରତ ଉପରେ ଟାରିଫ୍ କଷୁଥିବା ବେଳେ ମୋହନ ଭାଗବତ ଏଭଳି ଆହ୍ଵାନ ଦେଇଛନ୍ତି। ସେ ସ୍ଵଦେଶୀ ଅଭିଯାନ ଆରମ୍ଭ କରିବାକୁ ଲୋକଙ୍କୁ କହିଛନ୍ତି।
