ମାଲକାନଗିରି: ଆନ୍ଧ୍ର -ଓଡ଼ିଶା ଓ ଛତିଶଗଡ଼-ଓଡ଼ିଶା ସୀମାରେ ବଡ଼ ଏନକାଉଣ୍ଟର। ବର୍ତ୍ତମାନ ସୁଦ୍ଧା ୭ ନକ୍ସଲ ନିହତ ହେଲେଣି। ମୃତକଙ୍କ ଭିତରେ କୁଖ୍ୟାତ ମାଓ ନେତା ହିଡମା ଏବଂ ତାଙ୍କ ପତ୍ନୀ ରାଜେ ଥିବାର ସୂଚନା ରହିଛି। ବାଟାଲିୟନ ନମ୍ବର ୧ର ମୁଖ୍ୟ ଥିଲା ହିଡ଼ମା। ହିଡ଼ମା ନାମରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା। ଅନ୍ୟ ମୃତକ ହେଲେ ଲକମାଲ, କମଲୁ,ମଲ୍ଲା ଓ ଦେବେ। ଘଟଣାସ୍ଥଳରୁ ୨ଟି ଏକେ ୪୭, ଗୋଟିଏ ରିଭଲଭର୍ ଓ ଗୋଟିଏ ପିସ୍ତଳଲ ଜବତ କରାଯାଇଛି। ମାଲକାନଗିରି ସୀମାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର ଅଲ୍ଲୁରି ସୀତା ରାମ ରାଜୁ ଜିଲ୍ଲା ସୀମାନ୍ତରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଗୁଳିବିନିମୟରେ ୬ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ଗୁଳିବିନିମୟ ଏବେ ବି ଚାଲିଛି। ମୃତକଙ୍କ ମଧ୍ଯରେ ବଡ଼ ବଡ଼ କ୍ଯାଡର ଥିବା ସୂଚନା ମିଳିଛି।
ସେହିପରି ମାଲକାନଗିରି ଏବଂ ଛତିଶଗଡ଼ ସୀମାରେ ମଧ୍ୟ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଏହି ଗୁଳିବିନିମୟରେ ଏବେ ସୁଦ୍ଧା ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ନକ୍ସଲ ରହି ରହି ଗୁଳି ଚଳାଉଛନ୍ତି। ଯବାନ ମଧ୍ୟ ପାଲଟା ଜବାବ ଦେଉଛନ୍ତି। ଗୁଳିବିନିମୟ ବନ୍ଦ ହେବା ପରେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ବେଳକୁ କେତେ ନକ୍ସଲ ମୃତାହତ ହୋଇଛନ୍ତି ଜଣାପଡିବ ବୋଲି ଆନ୍ଧ୍ର ଓ ଛତିଶଗଡ଼ ପୁଲିସ କହିଛି। ଦୁଇ ଦିନ ତଳେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ମଦେଡ ଏରିଆ କମିଟିର ମୁଖ୍ୟ ବୁଚ ଅନ୍ନା ସମେତ ୬ ଜଣ କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାପଡ଼ିଥିଲା। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାରେ ରହିଥିବା ଜାତୀୟ ଉଦ୍ୟାନରେ ଡିଆରଜି, ସିଆରପିଏଫ ଏବଂ ଜିଲ୍ଲା ପୁଲିସ ଚଢାଉ କରିଥିଲେ। ସକାଳ ୧୦ଟାରୁ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଦିନ ତମାମ ରହି ରହି ଗୁଳି ବିନିମୟ ହେଉଥିଲା। ପରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ମାଓବାଦୀଙ୍କର ମୃତ ଦେହକୁ ଉଦ୍ଧାର କରିଥିଲା। ଏଥିସହ ଘଟଣାସ୍ଥଳରୁ ସ୍ବୟଂଚାଳିତ ଇନସାସ୍, ଏସଏଲଆର, ଷ୍ଟେନଗନ, ୩୦୩ ବନ୍ଧୁକ, ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଥିବା ପୁଲିସ କହିଛି। ପୁଲିସ ଗୁଳିରୁ ବର୍ତ୍ତି ଯାଇଥିବା ବା ଖସି ପଳାଇଥିବା ମାଓବାଦୀଙ୍କୁ ଖୋଜିବା ପାଇଁ ଡିଆରଜି ଏବଂ ଏସଟିଏଫ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା କୁହାଯାଇଛି। ଏହି ଏନକାଉଣ୍ଟର ପରେ ମଦେଡ ଏରିଆ କମିଟି ଧ୍ବଂସ ହୋଇଥିବା କୁହାଯାଇଛି। ପରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ବିବରଣୀ ପ୍ରଦାନ କରିାଯାଇଥିଲା।
