କଟକ: ଆହା ରେ ଆହା ରେ, ଦୁନିଆଟେ ଅଛି ଏଇ ଦୁନିଆ ବାହାରେ, ଚୁନା ଚୁନା କେତେ ଯେ ଭାବନା ଏଇ ହୃଦୟ ଭିତରେ । ବସ୍ତୁବାଦୀ ଦୁନିଆକୁ ଛାଡ଼ି ଆଉ ଗୋଟିଏ ସ୍ୱପ୍ନର ଦୁନିଆ ସମ୍ପର୍କରେ ଦର୍ଶାଯାଇଥିବା ଏମିତି କିଛି ହୃଦୟସ୍ପର୍ଶୀ ଗୀତକୁ ଶେଷଥର ପାଇଁ ଗାଇଥିଲେ ଓଲିଉଡ୍ର ଅନେକ ଲୋକପ୍ରିୟ ହିଟ୍ ଗୀତ ଗାଇଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଦୁନିଆ ଛାଡ଼ିବା ଆଗରୁ ନିଜ ସୁରିଲା କଣ୍ଠରେ ଦୁଇ ସପ୍ତାହ ତଳେ ଏହି ଗୀତରେ କଣ୍ଠଦାନ କରିଥିଲେ ହ୍ୟୁମାନ ସାଗର । ଯାହା ଥିଲା ହ୍ୟୁମାନଙ୍କ ଜୀବନର ଶେଷ ଗୀତ । ତେବେ ଏହି ଗୀତକୁ ସେ ଗାଇଥିଲେ ମଧ୍ୟ ଶେଷ କରିପାରି ନଥିଲେ ।
ନୂଆ ଚଳଚ୍ଚିତ୍ର ‘ବାଘୁଣୀ’ର ଏହି ଗୀତକୁ ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଦୁଇ ସପ୍ତାହ ତଳେ କଟକର ମିଲନ ଷ୍ଟୁଡିଓରେ ଏହି ଗୀତର ରେକର୍ଡିଂ ହେଉଥିବା ବେଳେ ପ୍ରେମ ଆନନ୍ଦଙ୍କ ଉପସ୍ଥିତିରେ ହ୍ୟୁମାନ ଏହି ଗୀତ ଗାଉଥିଲେ । ତେବେ ଗାଉଥିବା ବେଳେ ତାଙ୍କୁ କଷ୍ଟ ହେଉଥିବା ଅନୁଭବ କରି ପ୍ରେମ ଆନନ୍ଦ ତାଙ୍କୁ ଗୀତ ଗାଇବାକୁ ମନା କରିଥିଲେ ବୋଲି କହିଛନ୍ତି । କାରଣ ସେଦିନ ବହୁତ କଷ୍ଟରେ ଏହି ଗୀତ ଗାଉଥିବା ପ୍ରେମ ଆନନ୍ଦ ଅନୁଭବ କରିଥିଲେ । ତେଣୁ ଗୋଟିଏ ମାତ୍ର ଅନ୍ତରା ଗାଇବା ପରେ ତାଙ୍କୁ ଗାଇବାକୁ ମନା କରିବା ସହ ବିଶ୍ରାମ ନେବାକୁ କହିଥିଲେ । ଏତିକିରେ ଗୀତ ରେକର୍ଡିଂ ଅଧା ରହିଥିବା କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଏହା ପରେ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ହ୍ୟୁମାନ ସାଗରଙ୍କ ଏହି ଶେଷ ଗୀତକୁ ଆଉ କେଉଁ କଣ୍ଠଶିଳ୍ପୀଙ୍କୁ ଗାଇବାକୁ ଦେବେନି ବୋଲି କହିଛନ୍ତି ପ୍ରେମ ଆନନ୍ଦ।
