କେନ୍ଦୁଝର: କେନ୍ଦୁଝର ବନଖଣ୍ଡରେ ଆସନ୍ତା ୨୦ ତାରିଖରୁ ବାଘ ଗଣନା ଆରମ୍ଭ ହେବାକୁ ଯାଉଛି । ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ । କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ ଠାରୁ ଆରମ୍ଭ କରି ବନରକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଗଣନାରେ ସାମିଲ ହେବେ । କେନ୍ଦୁଝର ବନଖଣ୍ଡରେ ଏବେ ୨ଟି ମହାବଳ ବାଘ ଚଳପ୍ରଚଳ କରୁଥିବାରୁ ବେଶ୍ ସତର୍କତାର ସହିତ ବାଘ ଗଣନା ପାଇଁ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ପ୍ରଥମେ ପାଦରେ ଚାଲି ଗଣନା ପରେ ଟ୍ରାପ୍ କ୍ୟାମେରାରେ ବାଘ ଗଣନା କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି । ୨୦ ଠାରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ବନ ଅଧିକାରୀ ଏବଂ କର୍ମଚାରୀମାନେ ୬ ଦିନ ଧରି ୪ ଭାଗରେ ବିଭକ୍ତ ହୋଇ ପାଦଚଲା ପେଟ୍ରୋଲିଂ କରି ବାଘର ପାଦ ଚିହ୍ନ, ମଳ ସଂଗ୍ରହ କରିବେ । ଏହି ସମୟରେ ନଦୀ, ନାଳ ନିକଟରେ ବାଲି ଥିଲେ ତାହାକୁ ସମତୁଲ କରି ବାଘର ପାଦ ଚିହ୍ନ ନେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ବାଘ ରହୁଥିବା ଟେରିଟାରୀରେ ଗଣନାକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଡିଭିଜନସ୍ତରରେ ବିଭିନ୍ନ ଉପାୟରେ ବ୍ୟାଘ୍ର ଗଣନା ପାଇଁ ଏକତ୍ରିକରଣ ଏବଂ ବିଶ୍ଲେଷଣ କରାଯିବ । ଫରେଷ୍ଟର, ଗାର୍ଡ ଏବଂ ଅନ୍ୟ ବନ କର୍ମଚାରୀମାନେ ଏମ୍ଷ୍ଟ୍ରିପେସ୍ ଇକୋଲିଜିକାଲ ଆପ୍ ଜରିଆରେ ସର୍ଭେ ରିପୋର୍ଟ ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋଡ୍ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ କେନ୍ଦୁଝର ବନ ଖଣ୍ଡରେ କେଉଁ ପ୍ରଜାତିର କେତେ ବାଘ ଅଛନ୍ତି ତାହା ସ୍ପଷ୍ଟ ହେବ । କେନ୍ଦୁଝର ବନଖଣ୍ଡରେ ଏକ ମହାବଳ ବାଘ ଶିମିଳିପାଳ ଓ ଅନ୍ୟ ଏକ ଢେଙ୍କାନାଳ ପଟୁ ଆସି ଚଳପ୍ରଚଳ କରୁଛି । ବାଘର ଗତିବିଧି ପାଇଁ ସଂରକ୍ଷିତ ଜଙ୍ଗଲରେ ୭୦ଟି କ୍ୟାମେରା ଖଞ୍ଚା ଯାଇଛି । ତେବେ ଚତୁର ମହାବଳ ବାଘ କ୍ୟାମେରା ଲ୍ୟାନ୍ସରେ ଧରାପଡି ନାହିଁ । ଗତ ୨୦୨୩ ମସିହାରେ ବ୍ୟାଘ୍ର ଗଣନାରେ ଏକାଧିକ ସ୍ଥାନରେ ଏବଂ ଭିନ୍ନ ଭିନ୍ନ ପଦଚିହ୍ନ ମିଳିଥିବାରୁ କଲରାପତରିଆ ସଂଖ୍ୟା ବଢ଼ିଥିବା ସୂଚନା ମିଳଥିଲା । ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଥିବାରୁ ସେମାନେ ଆକୃଷ୍ଠ ହୋଇ ଆସୁଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଅଟେଇ ସଂରକ୍ଷିତ ଜଙ୍ଗଲ ସହିତ ଶିମିଳିପାଳ ଓ ସାତକୋଶିଆ ଦେଇ ଯୋଗାଯୋଗ ରହିଥିବାରୁ ଆଗକୁ ଅଧିକ ବାଘ ବଂଶ ବୃଦ୍ଧି ହେବା ଆଶଙ୍କା ରହିଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଡିସେମ୍ବର ମାସରେ ଟ୍ରାପ୍ କ୍ୟାମେରା ଦ୍ୱାରା ବାଘ ସହିତ ହାତୀ, ଏବଂ ଅନ୍ୟାନ୍ୟ ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କ ଗଣନା କରାଯିବ । ସୂଚନାଯୋଗ୍ୟ, ଡିସେମ୍ବର ୧ ତାରିଖ ଠାରୁ ୧୫ ଜାନୁୟାରୀ ମଧ୍ୟରେ ଜଙ୍ଗଲ ମଧ୍ୟରେ ଟ୍ରାପ କ୍ୟାମେରା ଏବଂ ଇନଟେନସିଭ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘର ଗତିବିଧି ଉପରେ ନଜର ରଖାଯିବ । କ୍ୟାମେରା କେଉଁ କେଉଁ ସ୍ଥାନରେ କିପରି ଲଗାଯିବ ଏବଂ କେତେ ଉଚ୍ଚତାରେ ଲଗାଯିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା । ବାଘର ଗତିବିଧି ଜାଣିବା ପାଇଁ ଘଟଗାଁ, ପାଟଣା ଏବଂ ତେଲକୋଇ ବନାଞ୍ଚଳରେ କ୍ୟାମେରା ଲାଗିଛି । ଏ ସମ୍ପର୍କରେ ଏସିଏଫ୍ଓ ସୁଦିପ୍ତା ପଣ୍ଡାଙ୍କୁ ପଚାରିବାରୁ ମହାବଳ ବାଘ ସହିତ କଲରାପତରିଆ ବାଘର ଅଟେଇ ସଂରକ୍ଷିତ ଜଙ୍ଗଲରେ ପୂର୍ବରୁ ରହି ଆସୁଥିବାରୁ ସତର୍କତାର ସହିତ ଏବଂ ତ୍ରୁଟିବିହୀନ ବାଘ ଗଣନା ପାଇଁ ପଦକ୍ଷେପ ନିଆଯାଉଛି । ବନବିଭାଗର ସମସ୍ତ କର୍ମଚାରୀ ୧୦୫ଟି ବିଟ୍ରେ ଗଣନାରେ ସାମିଲ ହେବେ । ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ରହିବେ । ପ୍ରକାଶଥାଉକି ତେଲକୋଇ, ଘଟଗାଁ, ସଦର ଓ ଚମ୍ପୁଆ ବନାଞ୍ଚଳରେ ୨୦ରୁ ଅଧିକ କଲରାପତରିଆ ବାଘ ରହିଥିବା ଗତ ଗଣନା ସମୟରେ ଜଣାପଡିଥିଲା । ଏକାଧିକ ବୟସ୍କ କଲରାପତରିଆ ବାଘ ଅଟେଇ ସଂରକ୍ଷିତ, ବାରବାଙ୍କ, ଚମକପୁର, ତେଲକୋଇ ପ୍ରଭୃତି ଅଞ୍ଚଳରେ ଠାବ ହୋଇଥିଲେ । ଏବେ ବି ନିୟମିତ କଲରାପତରିଆ ବାଘ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।
