ନୂଆପଡ଼ା, ୧୪/୧୧: ନୂଆପଡ଼ା ଉପନିର୍ବାଚନରେ ବାଜି ମାରିଲେ ଜୟ ଢୋଲକିଆ । ୮୩ ହଜାର ୭୪୮ ଭୋଟରେ ଜିତିଲେ ଜୟ। ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଭୋଟ ବ୍ୟବଧାନରେ ବହୁ ପଛରେ ପକାଇ ନୂଆପଡା ଦଖଲ କଲେ ଜୟ । ୨୯ ରାଉଣ୍ଡ ଗଣତି ପରେ ୧,୨୩,୮୬୯ ଭୋଟ ପାଇ ଜୟ ବିଜୟୀ ହୋଇଛନ୍ତି। ଏଥିସହ ବିଜେପି ନୂଆପଡା ଆସନ ଦଖଲ କରିଛି। ବିଜେଡି ହାତରୁ ଖସିଯାଇଛି ନୂଆପଡା। ସ୍ନେହାଙ୍ଗିନୀ ୩୮,୪୦୮ ଭୋଟ ପାଇ ୩ୟ ସ୍ଥାନରେ ଥିବା ବେଳେ ଘାସିରାମ ୪୦,୧୨୧ ଭୋଟ ପାଇ ୨ୟ ସ୍ଥାନରେ ରହିଛନ୍ତି।
୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି କବଜାରେ ଥିବା ନୂଆପଡା ଆସନ । ୨୦୨୫ ଉପନିର୍ବାଚନରେ ବିଜେଡି ହାତରୁ ଖସିଯାଇଛି ନୂଆପଡା । କହିବାକୁ ଗଲେ ନିଜ ଗଡ ରଖିପାରିନି ବିଜେଡି। ଏପରିକି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ବିଜେପିକୁ କଡା ଟକ୍କର ଦେବାରେ ସକ୍ଷମ ମଧ୍ୟ ହୋଇ ନାହାନ୍ତି। ୩ୟ ସ୍ଥାନକୁ ଖସି ଆସିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ୨୦୨୪ ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ ୨ ସ୍ଥାନରେ ରହିଛନ୍ତି। କିନ୍ତୁ ୨୦୨୪ ନିର୍ବାଚନ ତୁଳନାରେ ଘାସିରାମଙ୍କ ଭୋଟ କିଛି କମିଛି। ନିର୍ବାଚନ ଗଣତିର ପ୍ରଥମ ରାଉଣ୍ଡରୁ ଜୟଙ୍କ ବିଜୟ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ରାଉଣ୍ଡରୁ ୪୯୦୪ ଭୋଟ ପାଇ ଜୟ ଆଗୁଆ ରହିଥିଲେ। ସ୍ନେହାଙ୍ଗୀନୀ ୧୩୫୭ ଓ ଘାସିରାମ୧୩୦୮ ଭୋଟ ପାଇଥିଲେ। ୨ ୟ ରାଉଣ୍ଡରେ ଜୟ ୧୦,୪୮୬ ଭୋଟରେ ଆଗୁଆ ଥିଲେ। ସ୍ନେହାଙ୍ଗୀନୀ ୨୯୨୩ ଓ ଘାସିରାମ ୨୨୩୪ ଭୋଟ ପାଇଥିଲେ। ତେବେ ରାଉଣ୍ଡ ବଢିବା ସହ ଜୟଙ୍କ ଭୋଟ ବ୍ୟବଧାନ ବଢି ଚାଲିଥିଲା। ବିଜୟ ଅଭିମୁଖେ ଜୟଙ୍କ ବିଜୟଯାତ୍ରା ଜାରି ରହିଥିଲା। ଶେଷରେ ଜୟ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ପୂର୍ବରୁ ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ୧୧ ବର୍ଷ ପରେ ବିଜେପି ପୁଣିଥରେ ଏହି ଆସନ ନିଜ କବଜାକୁ ନେଇଛି। ସୂଚନା ଅନୁସାରେ, ୨୦୨୪ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧,୮୨୨ଭୋଟ ପାଇ ଜୟଯୁକ୍ତ ହୋଇଥିଲେ। ସେହିଭଳି ସ୍ବାଧିନ ପ୍ରାର୍ଥୀ ଭାବେ ଠିଆ ହୋଇଥିବା ଘାସିରାମ ମାଝୀ ୫୦,୯୪୧ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଜେପିରୁ ଠିଆ ହୋଇଥିବା ଅଭନନ୍ଦନ ପଣ୍ଡା ୪୪,୮୧୪ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଶରତ ପଟ୍ଟନାୟକ ୧୫,୫୦୧ଭୋଟ୍ ପାଇ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ମାତ୍ର ଚଳିତ ଉପନିର୍ବାଚନରେ ଏହି ସଂଖ୍ୟା ସମ୍ପୂର୍ଣ୍ଣ ଭିନ୍ନ ହୋଇଛି । ବିଜେପି ବିଜୟର ଟିକା ପିନ୍ଧିଥିବାବେଳେ କଂଗ୍ରେସର ଦ୍ବିତୀୟ ଏବଂ ବିଜେଡି ତୃତୀୟକୁ ଖସିଯାଇଛି ।
