ନୂଆପଡ଼ା: ହାତ ହଲାଇଲେ, ନୂଆପଡ଼ାରୁ ଟାର୍ଗେଟ୍ କଲେ । ବିଜେପି ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ନିର୍ବାଚନୀ ମଞ୍ଚରୁ ପ୍ରଚଣ୍ଡ ଆକ୍ରମଣ କଲେ ବିରୋଧୀ ଦଳ ନେତା । କହିଲେ ନୂଆପଡ଼ା ସହ ବିଜେପି ବେଇମାନୀ କରିଛି । କେବଳ ବଡ଼ ବଡ଼ କଥା କହି ଲୋକଙ୍କୁ ଭୂଆଁ ବୁଲାଇଛନ୍ତି । ୩ ୟୁନିଟ୍ ବିଜୁଳି କୁହାଡ଼େ ଗଲା ? ସବୁ ବରିଷ୍ଠ ନାଗରିକଙ୍କୁ ୩୫ଶହ ଟଙ୍କାର ପେନସନ ମିଳୁଛି କି ? କେତେ ଲୋକଙ୍କୁ ଚାକିରି ଦେଇଛି ବିଜେପି ? ଖାଲି ପବ୍ଲିସିଟିରେ ହିରୋ, କାମରେ ଜିରୋ ବିଜେପି ସରକାର । ନୂଆପଡ଼ାରେ ବିଜେଡି ପାଇଁ ଭୋଟ୍ ଭିକ୍ଷା କରି ବିଜେପିକୁ ଏମିତି ଆକ୍ରମଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍ ଦେଇ ନୂଆପଡ଼ାବାସୀ ବିଜେପିକୁ କଡ଼ା ଜବାବ ଦେବାକୁ ସେ ଅପିଲ କରିଛନ୍ତି ।
ନବୀନ ପଟ୍ଟନାୟକ ବେଶ୍ ଆବେଗର ସହ କହିଛନ୍ତି, ବିଜେପି ନୂଆପଡ଼ାବାସୀଙ୍କ ସହ ବେଇମାନୀ କରିଛି । ଆଗରୁ ଭୋଟ୍ ଚୋରି କରୁଥିବା ଏ ଦଳ ଏବେ ପ୍ରାର୍ଥୀ ଚୋରି କରୁଛି । କୋମନା ତରବୋଡାରେ ଭୋଟସଭାରେ ନବୀନ ‘ଜୟ ମା’ ମାଣିକେଶ୍ୱରୀ’ କହି ସମ୍ବୋଧନ ଆରମ୍ଭ କରିଥିଲେ । ବିଜେପିକୁ କାଠଗଡ଼ାରେ ଛିଡ଼ା କରାଇ କହିଲେ, ବିଏସକେୱାଇ ଭଲ ଥିଲା ନା ଏବେର ଆୟୁଷ୍ମାନ ଯୋଜନା । ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଠନ କରିଥିଲେ । ବିଜେଡି ସରକାର ଅମଳରେ ନୂଆପଡ଼ାର ବିକାଶ ବହୁତ ଆଗକୁ ଯାଇଥିଲା । ମୋ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହାଇଥିଲା । ଏବେ ନୂଆ ସରକାର ଖାଲି କଥା କହୁଛି । ଶେଷରେ ସେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରି କହିଥିଲେ ଯେ, ଆପଣ ମାନେ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ । ମାଆ ମାନଙ୍କୁ ମୋର ଗୁହାରୀ, ମାତେ ଆଶୀର୍ବାଦ କରନ୍ତୁ । ଶେଷ ଜୀବନ ଯାଏ ବିକାଶ ପାଇଁ କାମ କରିବି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ଏହା ପୂର୍ବରୁ କ୍ୟାମ୍ପେନରେ କମ୍ପୁଛି ମୈଦାନ । ଆଜି ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏହି ସଭାରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିଲା ।…
