ଅହମଦାବାଦ: ଆଜି ଜାତୀୟ ଏକତା ଦିବସ | ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଜାତୀୟ ଏକତା ଦିବସ ପାଳନ କରାଯାଉଥିବାବେଳେ ଆଜି ସକାଳ ପ୍ରାୟ ୮ଟା ସମୟରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଭାଗ ନେବା ସହ ଏକତା ଦିବସର ଶପଥ ପାଠ କରାଇ ପରେଡ ଅବଲୋକନ କରିଛନ୍ତି । ପରେଡରେ ବିଏସଏଫ, ସିଆରପିଏଫ, ସିଆଇଏସଏଫ, ଆଇଟିବିପି ଏବଂ ଏସଏସବି ସହିତ ବିଭିନ୍ନ ରାଜ୍ୟ ପୁଲିସ ବଳର ଟ୍ରୁପ ଅଂଶ ଗ୍ରହଣ କରିଛନ୍ତି।ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ଭାବେ ରାମପୁର ହାଉଣ୍ଡ ଏବଂ ମୁଢ଼ୋଲ ହାଉଣ୍ଡ ଭଳି ଭାରତୀୟ ପ୍ରଜାତିର କୁକୁର ସହ ବିଏସଏଫର ମାର୍ଚ୍ଚିଙ୍ଗ ଗ୍ରୁପ, ଗୁଜରାଟ ପୁଲିସର ଅଶ୍ଵଆରୋହୀ ଗ୍ରୁପ, ଆସାମ ପୁଲିସର ମୋଟରସାଇକେଲ ଡେୟାରଡେଭିଲ ସୋ ଏବଂ ବିଏସଏଫର ଓଟ ଗ୍ରୁପ ତଥା ଓଟ ଉପରେ ସବାର ଥିବା ବ୍ୟାଣ୍ଡ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ପରେଡରେ ସିଆରପିଏଫର ୫ ଶୌର୍ଯ୍ୟ ଚକ୍ର ବିଜେତା ଏବଂ ବିଏସଏଫର ୧୬ ବୀରତା ପଦକ ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି | ଯେଉଁମାନେ କି ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅଭିଯାନ ଏବଂ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ଅସାଧାରଣ ସାହସ ଦେଖାଇଥିଲେ । ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ଏନଏସଜି, ଏନଡିଆରଏଫ, ଗୁଜରାଟ, ଜମ୍ମୁ-କାଶ୍ମୀର, ଆଣ୍ଡାମାନ-ନିକୋବର ଦ୍ୱୀପ ସମୂହ, ମଣିପୁର, ମହାରାଷ୍ଟ୍ର,ଛତିଶଗଡ଼, ଉତ୍ତରାଖଣ୍ଡ ଓ ପୁଡୁଚେରୀର ଦଶ ପ୍ରଜ୍ଞାପନ ମେଢ଼ ସାମିଲ ହୋଇଛନ୍ତି, ଯାହାକି ‘ବିଭିନ୍ନତା ମଧ୍ୟରେ ଏକତା’ ବିଷୟବସ୍ତୁ ଉପରେ ଆଧାରିତ ହୋଇଥିଲା। ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସର ବିଶେଷ ମହତ୍ୱ ରହିଛି, କାରଣ ଦେଶ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି ।
