ମାଲକାନଗିରି : ଇଡ୍କୋ କମ୍ପାନୀର କୁଟୀର ଶିଳ୍ପକୁ ବିରୋଧ କରି ଗ୍ରାମବାସୀଙ୍କର ତେଜିଲା ଆନ୍ଦୋଳନ । ଜମି ଜଳ ଜଙ୍ଗଲ ବଞ୍ଚିବାର ଅଧିକାର ଦାବି ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମାଲକାନଗିରି ବ୍ଲକସ୍ଥିତ ସିନ୍ଧିର ମାଳ ପଞ୍ଚାୟତର ସୀମାଗୁଡ଼ି ଗ୍ରାମ ନିକଟରେ ଇଡ୍କୋ କମ୍ପାନୀର କୁଟୀର ଶିଳ୍ପ ନିର୍ମାଣ ପାଇଁ ଯୋଜନା ଚାଲିଛି । ସୀମାଗୁଡ଼ିରେ ଇଡ୍କୋ କମ୍ପାନୀର ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ ହୋଇଛି । ଗତ ୨୩ ତାରିଖ ଦିନ ଜମି ଅଧିଗହଣ କରିବାକୁ ଯାଇଥିବା ଅଧିକାରୀଙ୍କୁ ବିରୋଧ କରିଥିଲେ ଗ୍ରାମବାସୀ । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ, ଗୁରୁବାର ଶତାଧିକ ଗ୍ରାମବାସୀ ଇଡ୍କୋ କମ୍ପାନୀକୁ ବିରୋଧ କରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ଅନ୍ୟାନ୍ୟ ଆଦିବାସୀ ସଂଗଠନର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ଏକ ବିରାଟ ଶୋଭାଯାତ୍ରା କରି ଜମି ନିକଟକୁ ଯାଇ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି । ଗୁରୁବାର ଅପରାହ୍ନରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ ରହିଛି, ମାଲକାନଗିରି ସଦର ବ୍ଲକ ସିମାଗୁଜଡି ଗ୍ରାମବାସୀ ଲେଖି ଜଣାଇବା ଅଭିପ୍ରାୟ ଏହିକି ଯେ, ଗତ ତା. ୨୩.୧୦.୨୦୨୫ ରି ରିଖ ଦିନ ଜିଲ୍ଲାପାଳ,ଉପଜିଲ୍ଲାପାଳ, ତହସିଲଦାର ରାଜସ୍ୱ ନିରୀକ୍ଷକ ମିଶି ସିମାଗୁଡ଼ିରେ କ୍ଷୁଦ୍ର ଶିଳ୍ପ ପାଇଁ ଜମି ଅଧିଗ୍ରହଣ କରିବାକୁ ଆସିଥିଲେ । ଏହି କ୍ଷୁଦ୍ର ଶିଳ୍ପ ନିମନ୍ତେ ଇଡ୍କୋ କମ୍ପାନୀକୁ ୪୫ ଏକର ଜମି ହସ୍ତାନ୍ତର କରାଯିବାର ଯୋଜନା ମଧ୍ୟ ହୋଇଥିଲା । କିନ୍ତୁ, ଏହି ଜମି ଅଧିଗ୍ରହଣକୁ ଗ୍ରାମବାସୀ ବିରୋଧ କରୁଛୁ ଏଠାରେ ଆମ୍ଭେ ଉଲ୍ଲେଖ କରିବାକୁ ଚାହୁଁ ଯେ, ସତୀଗୁଡ଼ା ଜଳଭଣ୍ଡାର ପାଇଁ ଆମେମାନେ ବିସ୍ତାପିତ ହୋଇ ଏହି ସବୁ ଗ୍ରାମରେ ବସବାସ କରୁଛୁ । ବନ ବିଭାଗ ଦ୍ୱାରା ଏହି ସମିତି ଗଠନ କରାଯାଇଥିବା ବେଳେ ଗୋଚର ଓ ଅନାବାଦୀ ଜମି ମିଶି ୪୫ ହେକ୍ଟର ଜାଗାରେ ବୃକ୍ଷ ରୋପଣ ପାଇଁ ନର୍ସରିଠାରୁ ଆରମ୍ଭ କରି ଗଛ ରୋପଣ କରିବା ଓ ଆଜି ପର୍ଯ୍ୟନ୍ତ ତାହାର ରକ୍ଷଣା ବେକ୍ଷଣ କରିଆସୁଛୁ । ଏଥିସହ ଆମ ଗ୍ରାମର ଗୃହପାଳିତ ପଶୁ ଏହି ଜଙ୍ଗଲରେ ଚାରଣ କରି ବଞ୍ଚୁଥିବାବେଳେ ଏହି ଜମିରେ ଥିବା ବୃକ୍ଷ ଗୁଡ଼ିକରୁ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ, ଔଷଧୀୟ ବୃକ୍ଷ, କେତେକ ସ୍ଥାନରେ ଧାନ ଚାଷ କରି ପରିବାର ପ୍ରତିପୋଷଣ କରିଆସୁଛୁ । ଗତ ଜୁଲାଇ ୩ ତାରିଖ ୨୦୨୧ ମସିହାରେ ଏହି ଜଙ୍ଗଲ ଅଧିଗ୍ରହଣ ପାଇଁ ଡାଳୀନ ତହସିଲଦାର, ସରକାରୀ କର୍ମଚାରୀ ପୋଲିସ ବିଭାଗ ଆସି ସର୍ଭେ କରି ଖୁଣ୍ଟ ପୋତିଥିଲେ । ଆମମାନଙ୍କ ବିରୋଧ ଯୋଗୁଁ ଏହି ସ୍ଥଳକୁ ଛାଡ଼ି ଚଲାଣଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଟିବେରି ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ କରିବା ପାଇଁ ପ୍ରଶାସନ ନିଷ୍ପତି ନେଇଥିଲା । କିନ୍ତୁ, ପୂନର୍ବାର ଜଙ୍ଗଲକୁ ନେବାପାଇଁ ଯୋଜନା କରୁଥିବାରୁ ଆମେ ଏହାକୁ ବିରୋଧ କରୁଛୁ । ଏହି ଜମି ଅନୁସୂଚିତ ଅଞ୍ଚଳରେ ଥିବା ବେଳେ ଭାରତୀୟ ସମ୍ବିଧାନର ୫ମ ଅନୁସୂଚୀ (ଅଧୀନରେ ଅନୁସୂଚିତ ଅଞ୍ଚଳରେ କୌଣସି ଜମି ବିକ୍ରୟ କିମ୍ବା ହସ୍ତାନ୍ତର କରାଯାଇପାରିବ ନାହିଁ । ଆଇନ ୧୯୯୬ ଅନ୍ତର୍ଗତ ଧାରା ୪ (କ), (ଖ), (ଗ), ଅନୁସାରେ ଏହି ଜମିର ମାଲିକାନା ଗ୍ରାମସଭା ଅଟେ ଏବଂ ଧାରା ୪ (୧ (ଦ)ଅଧୀନର ବିକ୍ରୟ କିମ୍ବା ହସ୍ତାନ୍ତର କରାଯାଇପାରିବନାହିଁ, ଓ ଜଙ୍ଗଲ ଅଧିକାର ଆଇନ୨୦୦୬ ଅନୁଯାୟୀ, ଏହି ଜମି ଧାରା ୨(କ), ୨(ଘ) ଓ ୩(୧) ଅଧୀନରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଞ୍ଚଳରେ ଅନ୍ତର୍ଭୁକ୍ତ ନ୍ୟାୟ ସଙ୍ଗତ ମାଲିକାନା । ଏହି ଅଧିକାର ଅନୁସାରେ, ଗ୍ରାମସଭା ଏକମତ ହୋଇ ନିଷ୍ପତ୍ତି ନେଇଛି ଯେ, ଆମ ଗ୍ରାମ ସଭା ଅଞ୍ଚଳ ଭିତରେ କୌଣସି ଭୂମି ଇଡ୍କୋ କମ୍ପାନୀ କିମ୍ବା ଅନ୍ୟ କୌଣସି ବେସରକାରୀ କିମ୍ବା ସରକାରୀ ଅନୁଷ୍ଠାନକୁ ଦିଆଯିବନାହିଁ । ଗ୍ରାମସଭା ଏହି ନିଷ୍ପତ୍ତିକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଛି ବୋଲି ଉଲ୍ଲେଖ ରହିଛି ।
