ନୂଆଦିଲ୍ଲୀ : ଭାରତରେ ଶିଶୁଙ୍କ ବିରୋଧରେ ଯୌନ ଅପରାଧ ୯୪ ପ୍ରତିଶତ ବଢ଼ିଛି । ୨୦୧୭ରୁ ୨୦୨୨ ମଧ୍ୟରେ ଏହି ଅପରାଧ ବୃଦ୍ଧି ପାଇଥିବା ଚାଇଲ୍ଡଲାଇଟ୍ ଗ୍ଲୋବାଲ ଚାଇଲ୍ଡ ସେଫ୍ଟି ଇନ୍ଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଇନ୍ଟୁ ଦି ଲାଇଟ ରିପୋର୍ଟ ୨୦୨୫’ରୁ ଏକଥା ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ ୨୦୧୭ରେ ପୋକ୍ସୋ (ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ) ଆଇନ ଅନୁସାରେ ୩୩,୨୧୦ଟି ମାମଲା ରୁଜୁ ହୋଇଥିଲା । କିନ୍ତୁ ୨୦୨୨ରେ ଏହି ସଂଖ୍ୟା ବଢ଼ି ୬୪,୪୬୯ରେ ପହଞ୍ଚିଥିଲା । ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି କି ମାମଲା ସଂଖ୍ୟା ବଢ଼ିଥିଲେ ମଧ୍ୟ ଦଣ୍ଡବିଧାନର ହାର ୯୦ ପ୍ରତିଶତ ଉପରେ ରହିଛି । ଯାହାକି ଭାରତରେ ମଜଭୁତ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ରିପୋର୍ଟିଂ ବ୍ୟବସ୍ଥାକୁ ଦର୍ଶାଉଛି । ଚାଇଲ୍ଡଲାଇଟ୍ ସିଇଓ ପଲ୍ ଷ୍ଟାନଫିଲ୍ଡଙ୍କ କହିବାନୁଯାୟୀ ପ୍ରତିଟି ତଥ୍ୟ ପଛରେ ଜଣେ ଶିଶୁ ରହିଛି ଯାହାର ସୁରକ୍ଷା, ସମ୍ମାନ ଓ ଭବିଷ୍ୟତକୁ ଛଡାଇ ନିଆଯାଇଛି । ଅନୁମତି ମିଳିଥିବାରୁ ଶିଶୁମାନଙ୍କୁ ଶୋଷଣ କରାଯାଉଛି । ପର୍ଯ୍ୟାପ୍ତ ଇଚ୍ଛାଶକ୍ତି ଫଳରେ ଏହାକୁ ରୋକାଯାଇପାରିବ । ଶିଶୁମାନେ ଅପେକ୍ଷା କରିପାରିବେ ନାହିଁ । ତେଣୁ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନେବାର ସମୟ ବୋଲି ସେ କହିଛନ୍ତି । ଶିଶୁମାନଙ୍କୁ ଯୌନଶୋଷରୁ ସୁରକ୍ଷା ଦେବା ଲାଗି ୨୦୧୨ରେ ଭାରତରେ ପୋକ୍ସୋ ଆଇନ ଅଣାଯାଇଥିଲା । ସମଗ୍ର ଦେଶରେ ଏହାକୁ କଡାକଡି ଭାବେ ଲାଗୁ କରାଗଲା । ୧୮ ବର୍ଷରୁ କମ୍ ବୟସର ନାବାଳିକା ଏହି ଆଇନ ପରିସରଭୁକ୍ତ ହେଲେ । ରିପୋର୍ଟରେ କୁହାଯାଇଛି କି ଭାରତ, ଶ୍ରୀଲଙ୍କା ଓ ନେପାଳରେ କରାଯାଇଥିବା ସର୍ଭେରୁ ଜଣାପଡିଛି କି ପ୍ରତି ୮ ଜଣରେ ଜଣେ ଶିଶୁ ୧୮ ବର୍ଷରେ ପହଞ୍ଚିବା ପୂର୍ବରୁ ଯୌନ ଶୋଷଣ କିମ୍ବା ବଳାତ୍କାରର ଶିକାର ହେଉଛି । ଏହି ୩ ଦେଶରେ ୫ କୋଟି ୪୦ ଲକ୍ଷ ଶିଶୁ ପ୍ରଭାବିତ ହୋଇଛନ୍ତି । ଅର୍ଥାତ ମୋଟ ପିଲାଙ୍କର ୧୨.୫ ପ୍ରତିଶତ ଯୌନ ଶୋଷଣ କିମ୍ବା ବଳାତ୍କାରର ଶିକାର ହୋଇଥାନ୍ତି ।୨୦୨୪ରେ ଦକ୍ଷିଣ ଏସିଆରେ ଭାରତ, ବାଂଲାଦେଶ ଓ ପାକିସ୍ତାନରେ ଶିଶୁ ଯୌନ ଅପରାଧ ମାମଲା ସବୁଠାରୁ ଅଧିକ ପଞ୍ଜିକୃତ ହୋଇଥିଲା । ରିପୋର୍ଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଅପବ୍ୟବହାରକୁ ନେଇ ଚେତାବନୀ ଜାରି କରାଯାଇଛି । ୨୦୨୩ ଅପେକ୍ଷା ୨୦୨୪ରେ ଶିଶୁ ଯୌନ ଅପରାଧ ମାମଲା ୧୩୧୫ ପ୍ରତିଶତ ବଢ଼ିଛି । ରିପୋର୍ଟରେ ସବୁ ଦେଶ ଶିଶୁଙ୍କ ବିରୋଧରେ ହେଉଥିବା ଯୌନ ଶୋଷଣକୁ ସାର୍ବଜନିକ ସ୍ୱାସ୍ଥ୍ୟ ସତର୍କତା ଭାବେ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।
