ଭୁବନେଶ୍ୱର: ଦୟା ୱେଷ୍ଟ ବ୍ରାଞ୍ଚ କେନାଲକୁ ବିଏମ୍ସି ପକ୍ଷରୁ ନିୟୋଜିତ ପରିମଳ ସଂସ୍ଥା ଡମ୍ପିୟାର୍ଡ ଭାବେ ବ୍ୟବହାର କରୁଛି। ପ୍ରତିଦିନ ଏକାଧିକ ଟିପରରେ ଅଳିଆ ଆଣି କେନାଲ କଡରେ ଗଦାଉଛି। ଏହା ପରେ ଡୋଜର ଆଣି କେନାଲ ଗର୍ଭକୁ ଠେଲି ଦେଉଛି। ଫଳରେ ଅଧ କିଲୋମିଟର ଯାଏ କେନାଲ ଓସାରରେ ଅଧାଧିକ ପୋତି ହୋଇଗଲାଣି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଚିଲି ପୋଖରୀଠାରୁ ଗ୍ୟାରେଜ୍ ଛକ ଯାଏଁ ପଡ଼ିଥିବା କେନାଲ ବନ୍ଦ ରାସ୍ତାରେ। ମଇଁଷିଆ ଖାଲଠାରୁ ବିଜେବି ନଗର, ଶନି ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା କେନାଲ ବନ୍ଦ ରାସ୍ତା କଡରେ ଏଭଳି ଅଳିଆ ଗଦା ହୋଇଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ ବିରୋଧ କରିବେ ବୋଲି ରାତି ଅଧରେ କେନାଲ ଗର୍ଭକୁ ଅଳିଆରେ ପୋତା କାମ ଚାଲିଛି।
ନିୟମ ଅନୁଯାୟୀ, ଏହି ଅଳିଆ ବିଏମସି ପକ୍ଷରୁ ନିୟୋଜିତ ସଂସ୍ଥା ସଂଗ୍ରହ କରି ସୈନିକ ସ୍କୁଲ ନିକଟ ଟିଟିଏସ୍ (ଟେମ୍ପରାରି ଟ୍ରାଞ୍ଜିଟ ସେଡ) ର ପ୍ଲାଣ୍ଟକୁ ନେବା କଥା। ସେଠାରେ ଅଳିଆ ପ୍ରକ୍ରିୟାକରଣ ହୋଇ ଉପଯୋଗ ହେବା କଥା। ହେଲେ ସଂପୃକ୍ତ ସଂସ୍ଥା ପରିବହନ ଖର୍ଚ୍ଚକୁ ବଞ୍ଚାଇବା ଉଦ୍ଦେଶ୍ୟ ନେଇ ଦୟା ୱେଷ୍ଟ କେନାଲରେ ଅଳିଆ ଭର୍ତ୍ତି କରି କାମ ସାରି ଦେଉଛି। ସେପଟେ ସୈନିକ ସ୍କୁଲ ପର୍ଯ୍ୟନ୍ତ ପରିବହନ ଖର୍ଚ୍ଚ ବିଏମସିଠାରୁ ଆଦାୟ କରୁଛି। ବର୍ଷ ବର୍ଷ ଧରି ଅଳିଆ ଫୋଫାଡ଼ିବା ଫଳରେ ଦୟା ୱେଷ୍ଟ କେନାଲ ସଂକୁଚିତ ହୋଇ ଗଲାଣି। କେନାଲରେ ଜଳ ପ୍ରବାହକୁ ଅଳିଆ ଅଟକାଇ ଦେଇଛି। ଫଳରେ ଆଖପାଖ ଜନବସତି ଦୁର୍ଗନ୍ଧ ଓ ପୋକ, ଜୋକ, ମଶାରେ ଅତିଷ୍ଠ ହୋଇଗଲାଣି । ସେଠାରେ ଏକ ଅଶ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଉକ୍ତ ରାସ୍ତାରେ ଏତେ ଦୁର୍ଗନ୍ଧ ହେଉଛି ଯେ ଲୋକେ ଯିବା ଆସିବା ଛାଡି ଦେଲେଣି ।
ଉଲ୍ଲେଖ ଥାଉକି, ମାସେ ତଳେ ଜଳସେଚନ ବିଭାଗ ଅଧୀନ ପ୍ରାଚୀ ଡିଭିଜନ ପକ୍ଷରୁ ଦୟାୱେଷ୍ଟ ବ୍ରାଞ୍ଚ କେନାଲ ଗର୍ଭ ସଫା ହୋଇଥିଲା । ଏହି ସଫା କାମରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କେନାଲ ସଫା କାମ ବାକି ଥିଲାବେଳେ ବିଏମସି କେନାଲ ଗର୍ଭରେ ଅଳିଆ ପକାଇ ତାକୁ ପୋତିବା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପରିସ୍ଥିତି ଏପରି ହୋଇଛି ଯେ ଜଳସେଚନ ବିଭାଗ ଆହୁରି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ସୁଦ୍ଧା କେନାଲ ଗର୍ଭରେ ବିଏମସି ଗଦେଇ ଥିବା ଅଳିଆ ସଫା କରିବା ସମ୍ଭବ ହେବ ନାହିଁ । ଏ ସମ୍ପର୍କରେ ଜଳସେଚନ ବିଭାଗ ଅଧୀନ ପ୍ରାଚୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ.ରଘୁନାଥ ସ୍ୱାଇଁଙ୍କୁ ପଚାରିବାରେ ସେ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ସେ କହିଥିଲେ ଯଦି କେନାଲ ଗର୍ଭରେ ବିଏମସି ପକ୍ଷରୁ ଅଳିଆ ଜମା କରାଯାଉଥାଏ, ତେବେ ଘଟଣାସ୍ଥଳ ପରିଦର୍ଶନ କରିବୁ । କେନାଲ ଗର୍ଭରୁ ଅଳିଆ ଉଠାଇବା ପାଇଁ ବିଏମସି କମିଶନରଙ୍କୁ ଚିଠି ଲେଖି ଜଣାଇବୁ । ସେହିଭଳି ବିଏମସିର ଜୋନାଲ ଡେପୁଟି କମିଶନର (ସାଉଥ ଇଷ୍ଟ ଜୋନ ) ଧନଞ୍ଜୟ ମହାନ୍ତିଙ୍କୁ ଏ ସମ୍ପର୍କରେ ଜଣାଇବାରେ ସେ କହିଛନ୍ତି, ମୁଁ ସାନିଟେସନ ଏକ୍ସପର୍ଟଙ୍କୁ ଘଟଣାସ୍ଥଳକୁ ପଠାଇବି । ସେ ରିପୋର୍ଟ ଦେଲା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।
