କୋଲକାତା: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଞ୍ଚମ ଅଭିଯୁକ୍ତ ଗିରଫ । ଅଭିଯୁକ୍ତର ପରିଚୟ ଶେଖ ସଫିକୁଲ ବୋଲି ଜଣାପହିଛି ଏବଂ ସେ ସ୍ଥାନୀୟ ବାସିନ୍ଦା। ସଫିକୁଲ୍ ତା’ର ଜଣେ ସମ୍ପର୍କୀଙ୍କ ଘରେ ଲୁଚିଥିବା ବେଳେ ପୁଲିସ ତାକୁ ଗିରଫ କରିଛି। ସେଭଳି ଗତକାଲି ଅର୍ଥାତ ରବିବାର ରାତିରେ ଚତୁର୍ଥ ଅଭିଯୁକ୍ତ ଶେଖ ନସିରୁଦ୍ଧିନ୍କୁ ପୁଲିସ ଗିରଫ କରିଥିଲା। ତାକୁ ଦିନକ ପରେ ଦୁର୍ଗାପୁର ସବଡିଭିଜନ କୋର୍ଟରେ ହାଜର କରାଯିବ। ଗିରଫ ପରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଏବେ ତଦନ୍ତକାରୀ ଟିମ୍ ଏକାଠି ପଚରାଉଚରା କରିବାକୁ ଯୋଜନା କରୁଛନ୍ତି। ଘଟଣା ଘଟିଥିବା ଘରୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବେ। ପୁଲିସ କହିଛି ସମସ୍ତ ଅଭିଯୁକ୍ତଙ୍କର ଡିଏନଏ ଟେଷ୍ଟ କରାଯିବ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ସେପଟେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ପଶ୍ଚିମବଙ୍ଗ ଡିଜିପିଙ୍କୁ ୫ ଦିନରେ ରିପୋର୍ଟ ପ୍ରଦାନ କରିବାକୁ ଦାବି ରଖିଛନ୍ତି। ପୂର୍ବରୁ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ରବିବାର ସ୍ଥାନୀୟ କୋର୍ଟ ୧୦ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛନ୍ତି । ସେପଟେ ଆଜି ଓଡିଶାରୁ ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷ ଦୁର୍ଗାପୁର ଗସ୍ତ କରିଛନ୍ତି। ଏହା ସହ ପୀଡିତାଙ୍କ ପରିବାରକୁ ମଧ୍ୟ ସାକ୍ଷାତ କରିବେ। ଟିମ୍ ପୀଡିତାଙ୍କ ଚିକିତ୍ସା ସମ୍ପର୍କିତ ଯାଞ୍ଚ କରିବା ପରେ ସରକାରଙ୍କ ନିକଟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ।
