କଟକ,୪/୧୦ : କଟକ ଦରଘା ବଜାରରେ ଭସାଣିବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି।
ସୂଚନାଯୋଗ୍ୟ ଯେ, କଟକ ଦରଘା ବଜାରରେ ଭସାଣିବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷରେ ଡିସିପିଙ୍କ ସମେତ ୬ ଆହତ ହୋଇଥିଲେ । ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା । ବେଶ କିଛି ସମୟ ଧରି ଚାଲିଥିଲା ଧାଁ ଦୌଡ଼, ସଂଘର୍ଷ, ଉତ୍ତେଜନା ସହ ଧାରଣା ।
ଫଳରେ ଆଗକୁ ଯାଇ ନ ପାରି ଅଟକି ରହିଥିଲା ଦେବୀଙ୍କ ମେଢ଼ । ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରିମଙ୍ଗଳା ମେଢ଼ ଦରଘାବଜାର ହାତୀପୋଖରୀ ନିକଟରେ ପହଞ୍ଚିବା ମାତ୍ରେ ଛାତ ଉପରୁ ଅଚାନକ ଢ଼େଲା ସହ ବୋତଲ ମାଡ଼ ହୋଇଥିଲା । ଡିସିପିଙ୍କ ମୁହଁରେ ଆଘାତ ଲାଗିଛି । ଡିସିପିଙ୍କ ସମେତ ୬ଜଣ ଆହତ ହୋଇଥିଲେ । ପ୍ରତିବାଦରେ ଧାରଣାରେ ବସିଥିଲେ ପୂଜା କମିଟି କର୍ମକର୍ତ୍ତା । ବାଇକ୍ ଭଙ୍ଗାରୁଜା ସହ ବିଭିନ୍ନ ଦୋକାନ ଆଗରେ ଷ୍ଟଲ୍ ଭଙ୍ଗାରୁଜା ହୋଇଥିଲା । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଥିଲା । ପୁଣି ଚାଲିଥିଲା ଭସାଣି ।
