ବ୍ରହ୍ମପୁର : ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍ । ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତର ପ୍ରଦେଶର ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ସ୍ଵତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ମୋଟ୍ ୭୭୫ଜଣ ଯାତ୍ରୀଙ୍କୁ ନେଇ ଏହି ଟ୍ରେନ ବାହାରିଛି । ଏହି ଟ୍ରେନ ଅଯୋଧ୍ୟା ଓ ବାରଣାସୀ ବୁଲି ୨୪ ତାରିଖରେ ପ୍ରତ୍ୟାବର୍ତ୍ତନ କରିବ । ଏହାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରୀ ଟ୍ରେନ ଯାତ୍ରା ଆରମ୍ଭ କରିଛି । ପୂର୍ବରୁ ଆବେଦନ ପ୍ରକ୍ରିୟାରେ ୬୦ରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକ ରହିଛନ୍ତି । ସ୍ଵତନ୍ତ୍ର ଟ୍ରେନ୍ ଯାତ୍ରୀଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରୁ ନେଇ ଉତ୍ତର ପ୍ରଦେଶ ଅଭିମୁଖେ ବାହାରିଛି । ଆସନ୍ତାକାଲି ବାହାରୁଥିବା ଟ୍ରେନ ଗଞ୍ଜାମ ଜିଲ୍ଲାରୁ ୪୩୮, ଗଜପତିରୁ ୭୨ଜଣ, କନ୍ଧମାଳରୁ ୯୧ଜଣ, ବୌଦ୍ଧରୁ ୫୫ଜଣ, ନୟାଗଡ଼ରୁ ୧୧୯ଜଣ ବରିଷ୍ଠ ନାଗରିକ ରହିଛନ୍ତି । ଏମାନଙ୍କ ସହଯୋଗ ପାଇଁ ୨୫ଜଣ ଏସ୍କର୍ଟ ସେହି ଟ୍ରେନରେ ଯାତ୍ରା କରିବେ । ସୁବିଧା ସକାଶେ ଗୁରୁବାର ସକାଳୁ ବ୍ରହ୍ମପୁର ରେଳ ଷ୍ଟେସନ ୪ ନମ୍ବର ପ୍ଲାଟ୍ଫର୍ମ ନିକଟରେ ବାହାର ଜିଲ୍ଲାର ଯାତ୍ରୀଙ୍କ ସମାଗମ ଆରମ୍ଭ ହୋଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ସେମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟାହ୍ନ, ରାତ୍ରିଭୋଜନ ସମେତ ପାନୀୟ ବ୍ୟବସ୍ଥା କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ସରବନା ବିବେକ ଏମ୍, କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଡ. ରୁଦ୍ର ନାରାୟଣ ଦାସ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ ରଞ୍ଜନ ପୃଷ୍ଟିଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
