ନୂଆଦିଲ୍ଲୀ:ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ଭୋଟ୍ ଦେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିଜେଡି ରାଜ୍ୟସଭା ସାଂସଦମାନେ ବିରତ ରହିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ଚର୍ଚ୍ଚା ହେଉଥିଲା ଯେ ବୋଧ ହୁଏ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହୋଇ ଭେଟ ଦେବ । ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଜଗଦୀପ ଧନଖର ଇସ୍ତଫା ଦେବା ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ଏହି ନିର୍ବାଚନରେ ଏନଡିଏ ପକ୍ଷରୁ ସି.ପି ରାଧାକୃଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ବି.ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଗତ କିଛି ଦିନ ହେଲାଣି ଚର୍ଚ୍ଚା ଜୋରରେ ହେଉଥିଲା ଯେ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ । ବିଜେଡି ଯଦି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା ତେବେ ବିଜେପି-ବିଜେଡି ଏକ ବୋଲି ପୁଣି ଆଲୋଚନା ହୋଇଥାନ୍ତା । ବର୍ତ୍ତମାନ ବିଜେଡିର ୭ଜଣ ସାଂସଦ ରାଜ୍ୟସଭାରେ ରହିଛନ୍ତି । ସେପଟେ ଭୋଟିଂରୁ ବିଜେଡି ବିରତ ରହିବା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସମର୍ଥନ କରିବା । ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି । ସୂଚନା ଯୋଗ୍ୟ, ଓଡିଶାରେ ବର୍ତ୍ତମାନ ଲୋକସଭାରେ ୨୦ ସାଂସଦ ବିଜେପିରେ ଥିବା ବେଳେ ରାଜ୍ୟସଭାରେ ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି । ଏନଡିଏ ପ୍ରାର୍ଥୀ ବିଜୟୀ ହେବା ପାଇଁ ବିଜେଡିର ସମର୍ଥନ ଯଦିଓ ସେତେ ଗୁରୁତ୍ୱ ବହନ କରୁ ନାହିଁ, ଏହା ସତ୍ତେ୍ୱ ଏନଡିଏ ବିଜେଡିର ସମର୍ଥନ ଲୋଡିଥିଲା । ଆଜି ଦଳର ସୁପ୍ରିମୋ ଭୋଟ୍ ଦାନରୁ ବିରତ ନେଇ ଘୋଷଣା କରିବା ପରେ ବିଜେଡିରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି । ନବୀନଙ୍କ ଏହି ବଡ ନିଷ୍ପତ୍ତି ଆଗାମୀ ଦିନରେ ଦଳ ପାଇଁ କେତେ ଉପକାରୀ ସାବ୍ୟସ୍ତ ହେବ ତା’ଉପରେ ସମସ୍ତଙ୍କ ନଜର ରହିଛି ।
