ଭୁବନେଶ୍ବର: ପୂ୍ର୍ତ୍ତ ବିଭାଗ କାମରେ ଅଣଓଡ଼ିଆ ଠିକାଦାର ପ୍ରୀତି। ରାସ୍ତା କାମର ଟେଣ୍ଡର ସର୍ତ୍ତାବଳୀରେ କୋଲକାତା ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଓ ଦରଦ। କାମରେ ଏଭଳି ସର୍ତ୍ତ ରଖାଯାଇଛି ଯେ ଓଡ଼ିଶାର ସୁପରକ୍ଲାସ୍ ଯନ୍ତ୍ରୀମାନେ ନିଜ ସ୍ଵାର୍ଥ ସାଧନ ପାଇଁ ଏଭଳି କୁଚକ୍ରାନ୍ତ କରିଛନ୍ତି ବୋଲି ଓଡ଼ିଶା ଠିକାଦାର ସଂଘ ଅଭିଯୋଗ କରିଛି। ପୂର୍ତ୍ତ ବିଭାଗର କାମରେ ଏଭଳି ସର୍ତ୍ତାବଳୀକୁ କେନ୍ଦ୍ରକରି ଠିକାଦାରଙ୍କ ମହଲରେ ଅସନ୍ତୋଷ ତୀବ୍ର ହୋଇଛି। ଓଡ଼ିଶା ଠିକାଦାର ସଂଘ ଏ ଉପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭେଟିବା ସହ ଏଭଳି ସର୍ତ୍ତାବଳୀ ହଟାଇ ଓଡ଼ିଶାର ଠିକାଦାରଙ୍କୁ ସ୍ଵଚ୍ଛ ଉପାୟରେ ଟେଣ୍ଡରରେ ଅଂଶଗ୍ରହଣ ସୁଯୋଗ ଦେବାକୁ ନିବେଦନ କରିଛନ୍ତି। ଭୁବନେଶ୍ବରରେ 4 ପ୍ରମୁଖ ରାସ୍ତା ପାଇଁ ପ୍ରାୟ 32 କୋଟିର ମାଷ୍ଟିକ୍ କାମକୁ ନେଇ ଏଭଳି ବିବାଦ ମୁଣ୍ଡ ଟେକିଛି। ଅଗଷ୍ଟ 4 ତାରିଖରେ ରାସ୍ତା ଓ କୋଠା ନିର୍ମାଣ କେନ୍ଦ୍ରୀୟ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜୟଦେବବିହାରରୁ ଜାଭିୟର ଛକ ପର୍ଯ୍ୟନ୍ତ 1.65 କିଲୋମିଟର ରାସ୍ତା ମାଷ୍ଟିକ୍ କରିବାକୁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ 7 କୋଟି 66ଲକ୍ଷ 43 ହଜାର 38 ଟଙ୍କାର ଟେଣ୍ଡର ଆହ୍ଵାନ କରାଯାଇଥିଲା। ଏହାର ଟେଣ୍ଡର ପେପର ଖୋଲା ସରିଛି। ନିକଟରେ ପୁଣି କଳ୍ପନା ଛକରୁ ଏଜି ଛକ ପର୍ଯ୍ୟନ୍ତ 1.5 କିଲୋମିଟର ରାସ୍ତା। ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ 1.721 କିଲୋମିଟର ରାସ୍ତା ଓ ଏୟାରପୋର୍ଟରୁ ରାଜଭବନ ଛକ ଭାୟା ଏଜି ଛକ ପର୍ଯ୍ୟନ୍ତ ରାସ୍ତାର ମାଷ୍ଟିକ୍ କାମ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି। ପ୍ରତି କାମ ପାଇଁ 8କୋଟି ଟଙ୍କାର ଟେଣ୍ଡର କରାଯାଇଛି। ଟେଣ୍ଡର ସର୍ତ୍ତାବଳୀରେ କୁହାଯାଉଛି ଏହି କାମ ପାଇଁ ଠିକାଦାର ତଥା ଠିକା ସଂସ୍ଥା ହଟ୍ମିକ୍ସ ମାଷ୍ଟିକ୍ ଆସ୍ଫଲ୍ଟ, ବ୍ୟାନ୍ ମିକ୍ସଡ୍ ପ୍ଲାଣ୍ଟ ଥିବା ବାଧ୍ୟତାମୂଳକ। ଓଡ଼ିଶା ଠିକାଦାର ସଂଘ ସଂପାଦକ ଦିଲ୍ଲୀପ କୁମାର ଜେନା କହିଛନ୍ତି କାମ ପାଇଁ ଯେଉଁ ମେସିନ୍ କଥା ସର୍ତ୍ତ ରଖାଯାଇଛି ସେ ମେସିନ୍ ଓଡ଼ିଶାର କୌଣସି ଠିକାଦାରଙ୍କ ପାଖରେ ନାହିଁ। ବିଶ୍ବସ୍ତ୍ର ସୂତ୍ରରୁ ଜାଣିବାକୁ ମିଳିଛି ଏହି ଟେଣ୍ଡର ମୁଖ୍ୟତଃ ବାହାର ଠିକାଦାରଙ୍କୁ ଦିଆଯାଉଛି। କୋଲକାତାର ଏକ ଠିକାଦାରଙ୍କ ସହ ପୂର୍ତ୍ତ ବିଭାଗର କିଛି ଉଚ୍ଚପଦସ୍ଥ ଯନ୍ତ୍ରୀ ହାତ ମିଳାଇ ଏଭଳି କାମ କରୁଛନ୍ତି। ଯାହାଦ୍ଵାରା ଓଡ଼ିଶା ଠିକାଦାର ହାତବାନ୍ଧି ବସିଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶା ଠିକାଦାର ସଂଘ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତା୍ବନୀ ଦେଇଛି।
