ଭୁବନେଶ୍ବର: ଓଡ଼ିଆ ସିନେଜଗତର ଜଣାଶୁଣା ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି। ସେ ଏବେ ବି କୋମାରେ ଅଛନ୍ତି। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେ ବହୁବିଧ ରୋଗରେ ପୀଡ଼ିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରୁ ଏମ୍ସକୁ ସ୍ଥାନାନ୍ତରିତ ହୋଇଥିଲେ ଅଭିଜିତ୍। ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଲିଭର ଜନିତ ରୋଗ ସଂକ୍ରମଣରେ ପୀଡ଼ିତ ହୋଇ ଗତ ରବିବାରରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। ମାତ୍ର ସ୍ବାସ୍ଥ୍ୟରେ ଉନ୍ନତି ନହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରି ଭର୍ତ୍ତି କରାଯାଇଥିଲା।
ତେବେ ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଥିଲା । ତେବେ ଉଲ୍ଲେଖନୀୟ କଥା ହେଲା ଯେ ଅଭିଜିତଙ୍କୁ ଏମ୍ସ ସ୍ଥାନାନ୍ତର କରିବା ପଛରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।
