ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ(ଆଇସିସି) ଓ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକାଶିତ ଓଡ଼ିଶା ‘ଓଡ଼ିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଆଇସିସିର ଅଧ୍ୟକ୍ଷ ରାଜୀବ ସାହୁ କହିଥିଲେ ଓଡ଼ିଶା ୨୦୩୬ ବିକଶିତ ହେବା ପାଇଁ ଲକ୍ଷ୍ୟ ରହିଛି। ସରକାର ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଇସିସି ଗୁଣ୍ଡୁଚି ମୂଷା ପରି ସାହାଯ୍ୟ କରୁଛି। ଓଡ଼ିଶାର ଅର୍ଥନୀତି ବୃଦ୍ଧି ପାଉଛି। ଓଡ଼ିଶାରେ ସୀମିତ ସୁଯୋଗ ଥିବା ଯୋଗୁ ଯୁବପିଢୀ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଓଡିଶାରେ ପ୍ରଚୁର ସମ୍ପଦ ଭରି ରହିଛି। ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ ହେବା ଆବଶ୍ୟକ।ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ କହିଥିଲେ ସାରା ବିଶ୍ବରେ ଯାହା ଅଛି ତାହା ଓଡ଼ିଶାରେ ରହିଛି। ଆମ ପାଖରେ ମାଇନ୍ସ , ମିନେରାଲ ଅଛି। ଆମ ପାଖରେ କିଛି କମି ନାହିଁ। ଓଡ଼ିଶାରେ ରୂପାନ୍ତରିତ କରିବାକୁ ଆମର ଦୃଢ ଇଛା ଶକ୍ତି ଆବଶ୍ୟକ। ଆମେ କଠିନ ପରିଶ୍ରମ ଯଦି କରିବା ଯାହା ୫୦ ବର୍ଷରେ ହୋଇପାରିନି ତାହା ୫ ବର୍ଷରେ ହୋଇପାରିବ। ବିକଶିତ ଓଡ଼ିଶା ପାଇଁ ପରିଶ୍ରମ କଲେ ଆମେ ଶାଗ ମାଛରେ ଖଣି ଖାଦନ ବିକିବା ନାହିଁ। ଆମ ଲୋକ ଦାଦନ ଯିବେ ନାହିଁ।ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ କହିଥିଲେ ଯେ ଆଜି ଶିଳ୍ପ କ୍ଷେତ୍ରରେ ଆମେ ଆଗକୁ ବଢୁଛୁ। ଆମ ସରକାର ଶିଳ୍ପ କ୍ଷେତ୍ରରେ ବଢିବାକୁ ପ୍ରାଥମିକତା ଦେଉଛନ୍ତି। ଆମ ରାଜ୍ୟକୁ ଆସୁଥିବା ପୁଞ୍ଜିନିବେଶ କିଭଳି ବାସ୍ତବିକତା ନେବ ତାହା ଆମର ପ୍ରଥମ ପ୍ରାଥମିକତା। ଓଡିଶାରେ ମାଇନିଂ ଥିବା କାରଣରୁ ମାଇନିଂ ବେସ୍ ଶିଳ୍ପ ଗଢିଉଠିଛି। ଯଦି ପାରାଦୀପରେ ନାଥା କାକର ପ୍ଲାଣ୍ଟ ହେବ ତେବେ ପେଟ୍ରୋ କେମିକାଲରେ ଆମେ ଅନେକ ଆଗକୁ ଯାଇପାରିବା। ଓଡିଶାରେ ଏମଏସଏମଇ କ୍ଷେତ୍ରରେ ପ୍ରାଥମିକତା ରହୁଛି। ଓଡ଼ିଶାରେ ଯୁବ ମାନବସମ୍ବଳକୁ କିଭଳି ଦକ୍ଷ କରାଯିବ ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ଓଡିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ଆମ ସରକାର କାମ କରୁଛି।
